ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ। ଏଣୁ ନିଜ ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରାଯାଉ ବୋଲି ଛତିଶା ନିଯୋଗ ଦାବି କରିଛି। ଏ ନେଇ ଛତିଶା ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରଥ ନିର୍ମାଣ ସରି ଥିବାବେଳେ ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରଯାଇଛି। ତେଣୁ ସମସ୍ତ ପ୍ରସ୍ତୁତି ବେଳେ କିଭଳି ଭାବେ କରୋନା କଟକଣା ପାଳନ ହୋଇଛି, ସେସବୁ ସୁପ୍ରିମକୋର୍ଟଙ୍କ ଆଗରେ ଜଣାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ପାଟ୍ଟଯୋଶୀ କହିଛନ୍ତି।ପୂର୍ବରୁ ମୋଗଲ ଆକ୍ରମଣବେଳେ ମଧ୍ୟ ରଥଯାତ୍ରା ହୋଇଥିଲା। ତେଣୁ କୋଭିଡ୍ ଗାଇଡଲାଇନ ଭିତରେ କିଭଳି ଭାବରେ ରଥଯାତ୍ରା କରି ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ସୁପ୍ରିମକୋର୍ଟଙ୍କୁ ଜଣାଇ ରାୟର ପୁନର୍ବିଚାର ପାଇଁ ନିବେଦନ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ବନ୍ଦକୁ ନେଇ ଆଜି ପୁରୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ବନ୍ଦ ପାଇଁ ଘୋଷଣା ହୋଇଛି।