‘ଅମ୍ଫାନ୍’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଇଏଏସ୍ ଓ ଆଇପିଏସ ଅଧିକାରୀଙ୍କୁ ଏହାର ମୁକାବିଲା ପାଇଁ ଦାୟିତ୍ୱ ଦିଆଯାଇଛି। ୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର, ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାପଡ଼ା ଓ ଜୟନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଅର୍ପଣ କରିଛନ୍ତି ଡିଜିପି ଅଭୟ। ଏହାସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ, ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ବାତ୍ୟା ସମୟରେ ଅଧିକାରୀମାନେ ଜିଲ୍ଲାରେ ରହି ସ୍ଥିତି ପରଖିବା ସହ ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।