ଭୁବନେଶ୍ୱର କଳିଙ୍ଗ ଷ୍ଟା଼ଡ଼ିୟମରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ। ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଭାରତରେ ଖେଳାଯିବ। ସରା ଭାରତରେ ମାତ୍ର ୪ଟି ସହରରେ ଏହି ପ୍ରତିଯୋଗିତା ଖେଳାଯିବ। ଯେଉଁଥିରେ ଅନେକ ମ୍ୟାଚ୍ର ଭେନ୍ୟୁ ହେବ କଳିଙ୍ଗ ଷ୍ଟାଡ଼ିୟମ । ଏଥିପାଇଁ କ୍ରୀଡ଼ା ବିଭାଗ ତତ୍ପରତା ପ୍ରକଶ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ପ୍ରତିଯୋଗିତା ୨୦୨୦ ମସିହା ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୪ ଅକ୍ଟୋବର ଯାଏଁ ଚାଲିବ। ଯେଉଁଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଟିମ୍ ଭାଗନେବେ।
ପୂର୍ବ ଅଭିଜ୍ଞତାକୁ ଦେଖିଲେ ଆମେ ଖୁବ କମ୍ ସମୟରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଏହି ପ୍ରତିଯୋଗାତା ମଧ୍ୟ ବେଶ୍ ଭଲ ଭାବେ କରିବୁ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି, କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ମନୋଜ ପଢୀ। ଫିଫା ବିଶ୍ୱକପ ପାଇଁ ଗୋଟିଏ ମୁଖ୍ୟ ପଡ଼ିଆ ସହ ୪ଟି ଅଭ୍ୟାସ ପଡ଼ିଆ ଆବଶ୍ୟକ ରହିଛି। କଳିଙ୍ଗ ଷ୍ଟାଡ଼ିୟମରେ ଫିଫା ଷ୍ଟାଣ୍ଡାର୍ଡର ୪ଟି ପଡ଼ିଆ ଥିବା ବେଳେ ଅନ୍ୟ ଗୋଟିଏ ପଡ଼ିଆ ପାଇଁ ୟୁନିଟ-୧ ଫୁଟବଲ ପଡିଆକୁ ବ୍ୟବହର କରାଯିବାକୁ ସ୍ଥିର ହୋଇଛି।