ରାଜ୍ୟରେ ଧୀରେ ଧୀରେ ବଢି ଚାଲିଛ କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ଏହି ୪୮ ଜଣଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଖବର ଆସିଛି। ଆଜି ରଜ୍ୟ ସୂଚନା ବିଭାଗ ତରଫରୁ ଜାରି ବିଜ୍ଞପ୍ତିରେ ଏନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଓଡ଼ିଶା ସରକାରଙ୍କ ଅନୁସାରେ ରାଜ୍ୟର ୪୮ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ। ଏହି ଦୁଇ ଜଣଙ୍କ ସଂପର୍କ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତଙ୍କ ସହ ରହିଥିଲା। ଏପ୍ରିଲ ୬ ତାରିଖ ଦିନ ଜଣେ ସଂକ୍ରମିତଙ୍କ ଏମସ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଏହି ଦୁଇ ଶିଶୁକନ୍ୟା ତାଙ୍କର ସଂପର୍କୀୟ ବୋଲି ଜଣାପଡ଼ିଛି। ଦୁଇ ଶିଶୁକନ୍ୟାଙ୍କ ସହ ସେମାନଙ୍କର ୩୭ ବର୍ଷୀୟା ମା’ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଦୁଇ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ହୋଇଥିବା ବେଳେ ଆଉ ଜଣକର ବୟସ ୯ ବର୍ଷ ବୋଲି ଜଣା ପଡିଛି।