କରୋନା କବଳରେ ଏବେ ସାରା ବିଶ୍ୱ। କରୋନାକୁ ହରାଇବା ସାରା ବିଶ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଭିନ୍ନ ଶକ୍ତିଶାଳୀ ଦେଶରେ କରୋନା ଆତଙ୍କ ମଚାଇ ଥିବା ବେଳେ ଭାରତରେ ମଧ୍ୟ ଏହା ବ୍ୟାପିଚାଲିଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 4500 ଟପିଛି। ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 4000 ହୋଇଥିବାବେଳେ ମୃତ୍ୟୁସଂଖ୍ୟା 118 ରହିଛି । ତେବେ ଏପର୍ଯ୍ୟନ୍ତ ଦେଶରେ ମୋଟ 328 ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେପଟେ ବିଶ୍ନବ୍ୟାପୀ କରୋନା ଯୋଗୁ 13 ଲକ୍ଷ 50 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ 75 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ତାଲିକାରେ ସର୍ବାଗେ ରହିଛି ଆମେରିକା। ଆମେରିକାରେ 3 ଲକ୍ଷ 68 ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି। ସେଥିମଧ୍ୟରୁ 11 ହଜାର ପ୍ରାଣ ହରାଇଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନରେ 1 ଲକ୍ଷ 36 ହଜାର ଲୋକ ଆକ୍ରାନ୍ତ ଥିବା ବେଳେ 1 ଲକ୍ଷ 32 ହଜାର ସହ ଇଟାଲୀ ତୃତୀୟ ଓ ଚତୁର୍ଥରେ 1 ଲକ୍ଷ 3 ହଜାର ସହ ଜର୍ମାନୀ ରହିଛି। ଏହି ତାଲିକାରେ ଏବେ ଭାରତ 26 ତମ ସ୍ଥାନରେ ରହିଛି। ସେପଟେ ପାକିସ୍ତାନ ଏହି ତାଲିକାରେ 32 ତମ ସ୍ଥାନରେ ରହିଛି। ପାକିସ୍ତାନରେ ଏପର୍ଯ୍ୟନ୍ତ 3766 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 53 ଜଣ ଲୋକ ପ୍ରାଣ ହରାଇଛନ୍ତି। ଆରମ୍ଭରୁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ତଳେ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା 100ରୁ ସାମାନ୍ୟ ଅଧିକ ରହିଛି।