ସଭାପତି ନିର୍ବାଚନ ପାଇଁ ଦୁଇଭାଗ ରାଜ୍ୟ ବିଜେପି:ନିଜ ସମର୍ଥକଙ୍କ ପାଇଁ ଧର୍ମେନ୍ଦ୍ର ଓ ଅପରାଜିତା ଗୋଷ୍ଠୀଙ୍କ ଉଦ୍ୟମ

କିଏ ହେବ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି। ସୋମବାର ଦଳର  ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଫୋକସ ସିଧା ରାଜ୍ୟ ସଭାପତି ନିର୍ବାଚନ ଉପରେ। ଏହି ପଦବୀ ପାଇଁ ଏବେ ଏକାଧିକ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ସମସ୍ତେ ନିଜ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ। ଚଳିତ ମାସ ଶେଷ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ନୂଆ ରାଜ୍ୟ ସଭାପତି ଦାୟିତ୍ୱ ନେବେ। ସଭାପତି ପଦବୀ ଦୌଡ଼ରେ ବର୍ତ୍ତମାନର ରାଜ୍ୟ ଉପସଭାପତି ସମୀର ମହାନ୍ତି, ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବିଷ୍ଣଚରଣ ସେଠୀ, ସାଂସଦ ଶୁରେଶ ପୂଜାରି ଏବଂ ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଆଗରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ରେସରୁ ବାଦ ଦିଆଯାଇପାରିବ ନାହିଁ। ଅପରାଜିତା ଷଡ଼ଙ୍ଗୀ ଯଦି ସଭାପତି ନହୁଅନ୍ତି ତାଙ୍କ ସମର୍ଥିତ କାହାକୁ ସଭାପତି କରିବାକୁ ସେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଆଗରେ ଲବି କରିପାରନ୍ତି। ଧର୍ମେନ୍ଦ୍ରଙ୍କ ଦବଦବା ହ୍ରାସ ପାଇଁ କନକ ବର୍ଦ୍ଧନ ସିଂଦେଓ, ବିଷ୍ଣଚରଣ ସେଠୀ କିମ୍ବା ସାଂସଦ ଶୁରେଶ ପୂଜାରିଙ୍କୁ ସଭାପତି କରିବାକୁ ଅପରାଜିତା ଷଡ଼ଙ୍ଗୀ ଗୋଷ୍ଠୀ ଚାହୁଁଛନ୍ତି। ସେପଟେ ନିଜର ଅତି ଖାସ୍ କୁହାଯାଉଥିବା ସମୀର ମହାନ୍ତିଙ୍କୁ ସଭାପତି କରିବା ପାଇଁ ଜୋରଦାର ପ୍ରୟାସ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟପଟେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ସଭାପତି ରେସରେ ନଥିବା କଥା ନିଜେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ମୋତେ ବିଧାୟକ ଦଳ ନେତା କରାଇ ଦେଲେନାହିଁ, ଏମାନେ ସଭାପତି କଣ କରିବେ ବୋଲି ଅଭିମାନରେ କହିଛନ୍ତି। ସଭାପତି ଦାୟିତ୍ୱ ଦେଲେ ବି ମୁଁ ଗ୍ରହଣ କରିବା ନାହିଁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ରାଜ୍ୟ ସଭାପତି ଚୟନ ପାଇଁ  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡିଙ୍କୁ ଦାୟିତ୍ୱ ମିଳିଛି ।

Leave a Reply

Your email address will not be published. Required fields are marked *