ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଂଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିଛନ୍ତି। ୮ ତାରିଖ ପୂର୍ବାହ୍ନରେ ସେ ଖୋର୍ଧାର ବରୁଣେଇ ପୀଠକୁ ଯିବେ। ସେଠାରେ ହେବାକୁ ଥିବା ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ସଭାରେ ଯୋଗଦେବେ। ସେଠାରୁ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ଯାଇ ପ୍ଲାଟିନମ ଜୁବୁଲିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଣୀବିହାରରୁ ଦିନ ପ୍ରାୟ ୧.୪୫ରେ ରାଜଭବନ ଫେରିବେ। ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।