ଭଦ୍ରକବାସୀଙ୍କ ସହ ଖେଳ ଖେଳିଲେ ସରକାର: ଘଣ୍ଟାଏ ପାଇଁ ମିଛ ସ୍ୱପ୍ନ ଦେଖାଇ ପୁଣି କଥା ଫେରାଇନେଲେ

କିଛି ସମୟ ପାଇଁ ଲାଗିଲା ଭଦ୍ରକବାସୀଙ୍କ ଦୀର୍ଘ ଦିନର ଦାବିକୁ ସରକାର ମାନିନେଇଛନ୍ତି। ଭଦ୍ରକବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ହେଲେ ମାତ୍ର ଘଣ୍ଟାଏ ପରେ ସଭୁ କିଛି ଓଲଟ ପାଲଟ ହୋଇଗଲା। ପୁଣି ସବୁ ସ୍ୱପ୍ନ ଭାଙ୍ଗିଗଲା। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଗଲା ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଘୋଷଣା କରିଛନ୍ତି। ହେଲେ ଘଣ୍ଟେ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଉ ଏକ ପ୍ରେସ୍ ରିଲିଜ୍ ଜାରି କରାଗଲା। ଯେଉଁଥିରେ ଲେଖାଯାଇଛି ଭଦ୍ରକ ଜିଲ୍ଲାର ବିଧାୟକମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନିୁରୋଧ କରିଥିଲେ ଭଦ୍ରକରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ, ଏହାକୁ ସହୃଦୟତାର ସହ ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ ମତ ରଖିଛନ୍ତି।

ଯାହା ଏବେ ଭଦ୍ରକବାସୀଙ୍କୁ ବେଶ ମର୍ମାହତ କରିଛି। ପ୍ରଥମ ପ୍ରେସ୍ ରିଲିଜ୍‌ରେ କୁହାଯାଇଥିଲା ଯେ ଭଦ୍ରକରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ମୋଟ ୬ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥିପାଇଁ ୨୫ଏକର ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆସନ୍ତା ୨୦୨୦ ଫେବୃୟାରୀ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଭଦ୍ରକ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ରୋଗୀ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସଂଶୋଧିତ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ଭଦ୍ରକରେ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭଦ୍ରକ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଛନ୍ତି। ସେମାନଙ୍କ ଦାବିକୁ ବିଚାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ।

Leave a Reply

Your email address will not be published. Required fields are marked *