ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ୍ କ୍ରେଜ। ଦୀର୍ଘ ଦିନ ପରେ ପୁଣି କଟକକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ। ଆସନ୍ତା ଡିସେମ୍ବର 22 ତାରିଖରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍। ଯେଉଁଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ପ୍ରସ୍ତୁତିରେ ଲାଗିପଡ଼ିଛି ଓସିଏ। ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପ୍ରଥମ ମ୍ୟାଚ୍ ହୋଇଥିବାରୁ ଏହାକୁ କିଭଳି ଶାନ୍ତି ଶୃଙ୍ଖଳାରେ ଓ ସଫଳତାର ସହ ସମ୍ପର୍ଣ୍ଣ କରିବେ ସେଥିପାଇଁ ଅଣ୍ଟା ଭିଡିଛନ୍ତି। ସଞ୍ଜୟ ବେହେରା କହିଛନ୍ତି, ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଆସିଥିବାରୁ ଏହାକୁ ସଫଳ ଭାବେ କିଭଳି ଆୟୋଜନ କରାଯିବ ସେଥିପାଇଁ ସମସ୍ତ ପଦେକ୍ଷପ ନିଆଯିବ। ବିଶେଷ କରି ସାଧାରଣ ଲୋକଙ୍କ ସମର୍ଥନ ରହିବା ବି ଆବଶ୍ୟକ ଅଛି। ସାଧାରଣ ଲୋକେ ଯଦି ସହଯୋଗ କରିବେ ନିଶ୍ଚିତ ଏହି ମ୍ୟାଚ ସଫଳ ହେବ। ଏହାସହ ବାରବାଟୀ ପୁଣି ଥିରେ କ୍ରିକେଟ୍ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଓଡ଼ିଶା ଏବେ କ୍ରୀଡ଼ା ହବ ପାଲିଟିଛି। ତେଣୁ ପୂର୍ବରୁ ଯାହାସବୁ ଅଘଟଣା ଘଟିଛି ତାକୁ ଭୁଲି ଏବେ ନୂଆ ଉତ୍ସାହ ସହ ସମସ୍ତେ କିପରି ମ୍ୟାଚ ଭଲ ହେବ ସେଥିପାଇଁ ଲାଗି ପଡ଼ିବା ଆବଶ୍ୟକ। ଦର୍ଶକଙ୍କ ସୁବିଧା ପାଇଁ ଏଥର ଅନେକ ନୂଆ ପଦେକ୍ଷପ ନିଆଯିବ ବୋଲି ଓସିଏ ସମ୍ପାଦକ କହିଛନ୍ତି। ସେ କହିଛନ୍ତି, ଷ୍ଟାଡ଼ିୟମ ଭିତରେ ସୁବିଧାରେ ଓ ଶସ୍ତାରେ ଖାଦ୍ୟସାମଗ୍ରୀ ମିଳବ। ଏଥିପାଇଁ ବ୍ରାଣ୍ଡେଡ୍ କମ୍ପାନୀଙ୍କୁ ଦାୟିତ୍ୱ ଦିଆଯିବ। ଖାଦ୍ୟା ସାମଗ୍ରୀ ପାଇଁ ରେଟ୍ ଚାଟ୍ ମଧ୍ୟ ଲାଗିବ। ଦୀର୍ଘ ଦିନ ପରେ ବାରବାଟିକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ କରାଯିବ ସେଥିପାଇଁ ଓସିଏ ସମେତ, କମିଶନରେଟ୍ ପୋଲିସ ଓ ବିଭିନ୍ନ ସଂସ୍ଥା ଲାଗିପଡିଛନ୍ତି।
ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ ଟିକେଟ୍ ବିକ୍ରିହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଅଫ୍ଲାଇନ୍ ଟିକେଟ୍ ଆସନ୍ତା ୧୯ ତାରିଖରୁ ବିକ୍ରି ହେବ। ଏଥର ଦର୍ଶକଙ୍କ ସୁବିଧାକୁ ଦେଖି ଅଧିକରୁ ଅଧିକ ଟିକେଟ୍ କାଉଣ୍ଟକ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଥର ଟିକେଟ୍ ଉପରେ ଜିଏସଟି ଲାଗୁ ହେବାକୁ ଯାଉଛି।
ଅନଲାଇନ ପାଇଁ ୯ ହଜାର ଟିକେଟ୍ ଓ ଅଫ ଲାଇନରେ ୩୧ ହଜାର ଟିକେଟ୍ ବିକ୍ରି ହେବ। ମ୍ୟାଚ ପାଇଁ ଆଜି ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୌଠକ ଅନଷ୍ଠିତ ହୋଇଯାଇଛି। ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ୍ ଡିସେମ୍ବର ୧୯ ତାରିଖରେ ଭୁବନେଶ୍ୱରରେ ପହିଞ୍ଚିବାକୁ ଥିବା ବେଳେ ମେ-ଫେୟାର ହୋଟେଲେ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଡିସେମ୍ବର ୨୦ ଓ ୨୧ ତାରିଖରେ ଉଭୟ ଟିମ୍ ବାରବାଟି ଷ୍ଟାଡ଼ିୟମରେ ଅଭ୍ୟାସ କରିବେ। ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଖେଳାଳିଙ୍କ ସୁରକ୍ଷା ଦାୟୁତ୍ୱରେ ଭୁବନେଶ୍ୱର ଡିସିପି ରହିଥିବା ବେଳେ ବାରବାଟି ଷ୍ଟାଡ଼ିୟମର ଦାୟିତ୍ୱ କଟକ ଡିସିପିଙ୍କୁ ଦିଆଯାଇଛି। ଟିକେଟରେ କୌଣସି ପ୍ରକାର ଯେମିତି ଜାଲିଆତି ନ ହୁଏ ସେଥିପାଇଁ ପ୍ରତ୍ୟେକ ଟିକେଟ୍ ଉପରେ କଟକ ଡିସିପିଙ୍କ ଦସ୍ତଖତ ରହିବ। କ୍ରିକେଟ୍ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ଶନିବାର ହୋଇଥିବା ପ୍ରସ୍ତୁତି ବୈଠକରେ ପୋଲିସ କମିଶନର, କଟକ ଓ ଭୁବନେଶ୍ୱର ଡିସିପ, ଓସିଏ ସମ୍ପାଦକ ଓ ସଭାପତି, କ୍ରିଡ଼ା ନିର୍ଦ୍ଦେଶକ, ଏୟରାପୋର୍ଟ ଡାଇରେକ୍ଟର ପ୍ରମୁଖ ଉପସ୍ଥିତି ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।