ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବ ଜଗା-କାଳିଆଙ୍କ ଅପରେସନ୍‌

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବ ବହୁ ଚର୍ଚ୍ଚିତ ଜଗା-କାଳିଆଙ୍କ ଯୋଡ଼ା ମୁଣ୍ଡର ସଫଳ ଅପରେସନ୍‌। ବିଶ୍ୱର ପ୍ରଥମ ଯୋଡ଼ାମୁଣ୍ଡ ଅପରେସନ୍‌ ସ୍ୱୀକୃତି ଦେବାକୁ ଯାଉଛି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ର ୨୦୨୦ ସଂସ୍କରଣରେ ଏହି ଅପରେସନ୍‌କୁ ପ୍ରଥମ ସଫଳ ଯୋଡ଼ାମୁଣ୍ଡ ଅପରେସନ୍‌ ମାନ୍ୟତା ଦିଆଯିବ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ ଏହାକୁ ଗ୍ରହଣ କରିଛି।

ନୂଆଦିଲ୍ଲୀସ୍ଥିତ ଏମ୍ସରେ ୨୦୧୭ ଅଗଷ୍ଟ ୨୮ ତାରିଖରେ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ହୋଇଥିଲା। ତତ୍କାଳୀନ ଏମ୍ସ ନୂଆଦିଲ୍ଲୀ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ର ନେତୃତ୍ୱରେ ଅପରେସନ୍‌ ହୋଇଥିଲା। ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୧୨୫ ଜଣ ଡାକ୍ତର ଓ ପାରା ମେଡିକାଲ୍‌ ଷ୍ଟାପ୍‌ ଏହି ଅତି ଜଟିଳ ଅପରେସନ୍ କରିଥିଲେ । ଏହି ଅପରେସନ୍ ଉପରେ ସମଗ୍ର ବିଶ୍ୱର ନଜର ଥିଲା। ଦୁଇଟି ପର୍ଯ୍ୟାୟରେ ଜଗା-କାଳିଆ ମୁଣ୍ଡ ଅଲଗା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅପରେସନ୍‌ ହୋଇ କାଳିଆ ମୁଣ୍ଡରେ ଭେନସ୍‌ ବାଇପାସ୍‌ ସୃଷ୍ଟି କରାଯାଇଥିଲା ଓ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା । ଲଗାତାର ୨୫ ଘଣ୍ଟା ପାଇଁ ଏହି ଅପରେସନ୍‌ ଚାଲିଥିଲା । ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ ଘଣ୍ଟା ଧରି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ହୋଇଥିଲା । ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା । ଏହା ପରେ ଚୂଡ଼ାନ୍ତ ଅପରେସନ୍‌ ହୋଇଥିଲା  । ଅପରେସନ୍‌ ଏତେ ଜଟିଳ ଥିଲା ଯେ ଉଭୟ ଜୀବନ ପ୍ରତି ୭୫-୮୦ ପ୍ରତିଶତ ବିପଦ ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଇଥିଲେ । କିନ୍ତୁ ଡାକ୍ତରୀ ଟିମ୍‌  ପରିଶ୍ରମ କରି ଅପରେସନ୍‌କୁ ସଫଳ କରିଥିଲେ । ଅପରେସନ୍‌ ଯୋଗୁଁ ଜଗା-କାଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇପାରିଥିଲା ।

Leave a Reply

Your email address will not be published. Required fields are marked *