ବାତ୍ୟା ‘ବୁଲବୁଲ’କୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ। ବାତ୍ୟା ପୂର୍ବରୁ ଲୋକଙ୍କ ମଧ୍ୟରେ ଛନକା ପସିଯାଇଛି। ଲୋକେ ବାତ୍ୟାକୁ ସାମ୍ନା କରିବା ପାଇଁ ଏବେ ଠାରୁ ଆବଶ୍ୟକୀୟ ଜିନିଷ ସବୁ ଘରକୁ ବୋହି ନେଇଯାଉଛନ୍ତି। ଯାହାକୁ ନେଇ ମାର୍କେଟରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ବ୍ୟାବସାୟୀ ମାନେ ଚଢା ଦରରେ ବିଭିନ୍ନ ସାମଗ୍ରୀ ବିକୁଛନ୍ତି। ଡାଲି, ଚାଉଳ, ତେଲ, ଲୁଣ ଠାରୁ ଆରମ୍ଭ କରି ପରିବା ପର୍ଯ୍ୟନ୍ତ ସବୁ ଦର ଏବେ ଆକାଶ ଛୁଆଁ। ଡାଲି ଦର 100 ଟପିଥିବା ବେଳେ ପିଆଜ 70, ପରିବା ଦରରେ ହାତ ମାରିହେଉନି। କୌଣସି ପରିବା 50 ତଳକୁ ମାର୍କେଟରେ ମିଳୁନି। ଗତ ଦୁଇ ଦିନ ଭିତରେ ଡାଲି ଦର ଅଚାନକ ଓ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ହରଡ଼ ଓ ମୁଗ ଡାଲି ଦର ୧୦୦ ଟଙ୍କା ଡେଇଁଛି। ପାଇକାରୀ ଦର ୯୦ ଟଙ୍କା ପାର୍ ହୋଇ ଯାଇଥିବାରୁ ଖୁଚୁରା ବଜାର ଦର ୧୦୦ ଟଙ୍କାକୁ ଟପିଛି। ତେଣୁ ତୁରନ୍ତ ସରକାର ଖାଉଟିଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।