ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଡିପ୍ରେସନରେ ପରିଣତ ହୋଇ ବାତ୍ୟାର ରୂପ ନେଉଛି। ଆସନ୍ତା ଦୁଇଦିନ ଭିତରେ ବାତ୍ୟାର ଗତିପଥ ନେଇ ସ୍ଥିତି ସ୍ପଷ୍ଟ ହେବ। ଏହି ଡିପ୍ରେସନ ବାତ୍ୟାରେ ପରିଣତ ହେଲେ ତାହାର ନାଁ ହେବ ‘ବୁଲବୁଲ’। ପାଣିପାଗ କେନ୍ଦ୍ର ରିପୋର୍ଟ ଅନୁସାରେ ଆସନ୍ତା ୫ କିମ୍ବା ୬ ତାରିଖରେ ଏହା ଡିପ୍ରେସନରେ ପରିଣତ ହେବ ଓ ତାପରେ ଡିପ ଡିପ୍ରେସନରେ ପରିଣତ ହୋଇ ବାତ୍ୟା ରୂପ ନେବ। ଏହା ଉତ୍ତରପଶ୍ଚିମ ଦିଗରେ ଆଗେଇ ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡକୁ ମୁହାଁଇବାର ସମ୍ଭାବନା ରହିଛି। ଆସନ୍ତା 9 ଓ 10 ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ। ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲା ପ୍ରଭାବିତ ହୋଇପାରେ। ବାତ୍ୟା ପ୍ରଭାବରେ ଘଣ୍ଟାକୁ 120 କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଲାଗି ରହିବ। ଯଦି ଏହା ବାତ୍ୟାର ରୂପ ନିଏ ତେବେ ଚଳିତ ବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୩ୟ ବାତ୍ୟା ହେବ। ଗତ ଜାନୁୟାରୀ ମାସରେ ପାବୁକ ବାତ୍ୟା ଓ ମେ ମାସରେ ମହାବାତ୍ୟା ଫୋନି ସୃଷ୍ଟି ହୋଇଥିଲା।