ପୁଣି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ହକି କ୍ରେଜ। କଳିଙ୍ଗରେ କମାଲ କରିବେ ଭାରତୀୟ ଖେଳାଳି। ଟୋକିଓ ଟିକେଟ୍ ପାଇଁ ଦେଖିବାକୁ ମିଳିବ ଟକ୍କର। ଶୁକ୍ରବାର ଓ ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ। ପୁରୁଷ ବିଭାଗରେ ଭାରତ- ରୁଷିଆ ଏବଂ ମହିଳା ବିଭାଗରେ ଭାରତ-ଆମେରିକା ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅଲିମ୍ପିକ ଯିବା ପାଇଁ ଶେଷ ସୁଯୋଗ ହୋଇଥିବାରୁ କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ସମସ୍ତ ଟିମ୍ ନିଜ ନିଜ ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବେ। ଏଥିପାଇ ଟିମ୍ ବି ପ୍ରସ୍ତୁତ, ଷ୍ଟାଡ଼ିୟମ ବି ପ୍ରସ୍ତୁତି, ଦର୍ଶକମାନେ ମଧ୍ୟ ଖେଳ ଦେଖିବାକୁ ବେଶ ଉତ୍ସାହିତ, କେବଳ ବାକି ରହିଲା ମ୍ୟାଚକୁ।
ଶୁକ୍ରବାର ପ୍ରଥମ ମ୍ୟାଚ୍ ମହିଳା ବର୍ଗରେ ଖେଳାଯିବ। ସନ୍ଧ୍ୟା 6ଟା ବେଳେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯିବ ମ୍ୟାଚ। ଏହାପରେ ପୁରୁଷ ବର୍ଗରେ ଟକ୍କର ଦେଖିବାକୁ ମିଳିବ। ରାତି 8ଟାରେ ଭାରତ, ଋଷିଆକୁ ଭେଟିବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜୁଜୁ ଯୋଗଦେବେ। ଏହାସହ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ମଧ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବେ। ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।