ଗାଙ୍ଗୁଲୀଙ୍କ ନୂଆ ଟିମରେ ବିରାଟ ଆଉଟ୍, ରୋହିତଙ୍କ ଉପରେ ଭରସା: ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍

ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। ସୌରଭ ଗାଙ୍ଗୁଲୀ ବିସିସିଆଇ ଅଧ୍ୟକ୍ଷ ହେବାର ଗୋଟିଏ ଦିନ ପରେ ଭାରତୀୟ ଦଳ ଘୋଷଣା ହୋଇଛି। ରେଗୁଲାର୍ ଅଧିନାୟକ ବିରାଟ କୋହଲିଙ୍କୁ ଟି-20 ସିରିଜରୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଦାୟିୁତ୍ୱ ଦିଆଯାଇଛି। ହେଲେ ହଠାତ କଣ ପାଇଁ ବିରାଟଙ୍କୁ ବିଶ୍ରମା ଦେଇ ତାଙ୍କ ସ୍ଥାନରେ ରୋହିତଙ୍କ ଉପରେ ମ୍ୟାନେଜମେଣ୍ଟ ଆସ୍ଥା ପ୍ରକଟ କରିଛି ତାହ ସହଜରେ ବୁଝି ହେଉନି।

ଅନ୍ୟପଟେ ଟି-20 ଦଳରେ କେତେକ ନୂଆ ମୁହଁକୁ ସ୍ଥାନ ମିଳିଛି। ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାରତ ଏ’ ଦଳ ତରଫରୁ ଦମ୍‌ଦାର ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମସନ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଏକମାତ୍ର ଟି୨୦ ମ୍ୟାଚ୍‌ ଖେଳିଥିଲେ। ଭାରତ ଏ ଦଳ ତରଫରୁ ନିୟମିତ ପ୍ରତିନିଧିତ୍ୱ କରିଆସୁଥିବା ସାମସନ ବିଜୟ ହଜାରେ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଦଳରେ ସ୍ଥାନ ହାସଲ କରିଛନ୍ତି। ସେ ୮ଟି ଇନିଂସ ଖେଳି ୪୧୦ ରନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ସେ ଏକ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି। ବ୍ୟାକ୍‌ ଇଞ୍ଜୁରି ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରମା ଦିଆଯାଇଛି।  ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଦୁବେଙ୍କୁ ସୁଯୋଗ ମିଳିଛି। ଲମ୍ବା ଶଟ୍‌ ଖେଳିବାର ଦକ୍ଷତା ରଖୁଥିବା ଦୁବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଦଳରେ ସ୍ଥାନ ପାଇଛନ୍ତି। ଦୁବେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ। ସେହିପରି କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ପୂର୍ବଭଳି ଦଳର ନେତୃତ୍ୱ ନେବେ।
ଟି୨୦ ସିରିଜ ନଭେମ୍ବର ୩ ତାରିଖରୁ ନୂଆଦିଲ୍ଲୀରୁ ଆରମ୍ଭ ହେବ। ଏହାପରେ ୭ ତାରିଖରେ ରାଜକୋଟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ ଓ ଅନ୍ତିମ ତଥା ତୃତୀୟ ଟି୨୦ ୭ ତାରିଖରେ ନାଗପୁରରେ ଖେଳାଯିବ। ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶସ୍ୱରୂପ ବାଂଲଦେଶ ଓ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଇନ୍ଦୋର ଓ କୋଲକାତାରେ ଏହି ଦୁଇ ଟେଷ୍ଟ ମ୍ୟାଚ୍‌ ଯଥାକ୍ରମେ ନଭେମ୍ବର ୧୪ ଓ ୨୨ରୁ ଆରମ୍ଭ ହେବ।
ବାଂଲାଦେଶ ଖେଳାଳିମାନେ ପାଉଣା ବୃଦ୍ଧି ଓ ଅନ୍ୟ ସମସ୍ୟାକୁ ନେଇ ଦାବି କରିବା ସହିତ ଏହି ଗସ୍ତରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ। ଫଳରେ ଏହି ସିରିଜ ନେଇ ଅନିଶ୍ଚତିତା ସୃଷ୍ଟି ହୋଇଥିଲା। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ  ଭାରତ ତାର ଦଳ ଘୋଷଣା କରିଛି। ତେବେ ଭାରତୀୟ ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ କ୍ଲିନ ସୁଇପ କରିଥିବା ଦଳ ଅପରିବର୍ତ୍ତିତ ରହିଛି।

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁବମନ ଗିଲ ଓ ରିଷଭ ପନ୍ତ।

ଭାରତୀୟ ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଲୋକଶେ ରାହୁଲ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ଓ୍ବାଶିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ୍‌ ଦୁବେ ଓ ଶାର୍ଦ୍ଦୁଲ ଠାକୁର।

Leave a Reply

Your email address will not be published. Required fields are marked *