ବିଶ୍ୱର ଅନେକ ଦେଶରେ ଦୀପାବଳି ଉତ୍ସବ ପାଳନ କରାଯାଉଛି। ବିଶେଷ କରି ଆମେରିକାରେ ଧୁମ ଧାମରେ ପାଳନ ହେଉଛି ଏହି ପର୍ବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ତୃତୀୟ ବର୍ଷ ପାଇଁ ହ୍ବାଇଟ୍ ହାଉସ୍ରେ ଦୀପାବଳି ଉତ୍ସବ ପାଳନ କରିବେ। ଭାରତରେ ଅକ୍ଟୋବର ୨୭ରେ ଏହି ଉତ୍ସବ ପାଳନ ହେଉଥିବାବେଳ ଏହାର ତିନି ଦିନ ପୂର୍ବରୁ ଟ୍ରମ୍ପ ଏହା ପାଳନ କରିବେ ବୋଲି ମଙ୍ଗଳବାର ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୯ରେ ତତ୍କାଳୀନ ରାଷ୍ଟ୍ରପତି ବରାକ ଓବାମା ହ୍ବାଇଟ୍ ହାଉସ୍ରେ ଦୀପାବଳି ପାଳନ ପର୍ବ ଆରମ୍ଭ କରିଥିଲେ। ଏହାପରେ ଟ୍ରମ୍ପ ରାଷ୍ଟ୍ରପତି ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଟ୍ରମ୍ପ ପୂର୍ବ ବର୍ଷ ପରି ଚଳିତ ବର୍ଷ ଦୀପ ଜାଳି ଉତ୍ସବ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଶାସନର ସଦସ୍ୟ ଓ ବଛାବଛା ଆମେରିକୀୟ-ଭାରତୀୟମାନେ ଉପସ୍ଥିତ ରହିବେ। ଅପରପକ୍ଷରେ ଆମେରିକାରେ ଏବେଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଗଲାଣି। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବଟ ଶନିବାର ଭାରତୀୟମାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି।