ଆଜି ଠାରୁ ଦାଦାଗିଗି ଆରମ୍ଭ। ବିସିସିଆଇର ନୂଆ ବସ୍ ହେଲେ ବେଙ୍ଗଲ ଟାଇଗର୍ ସୌରଭ ଗାଙ୍ଗୁଲୀ। ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ 2020 ଜୁଲାଇ ପର୍ଯ୍ୟନ୍ତ ମାତ୍ର 9 ମାସ ପାଇଁ ବିସିସିଆଇର ସଭାପତି ରହିବେ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ବିସିସିଆଇ ସମ୍ପାଦକ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧମାଲ କୋଷାଧ୍ୟକ୍ଷ ଭାବେ ଦାୟୁତ୍ୱ ଗ୍ରହଣ କରିଛନ୍ତି।
ସୌରଭ ଗାଙ୍ଗୁଲୀ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି। ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି।
ଗାଙ୍ଗୁଲୀ ଆଜି ଯେତେବେଳେ ଦାୟୁତ୍ୱ ଗ୍ରହଣ କରିବାକୁ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସେତେବେଳେ ସେ କ୍ୟାପଟେନ୍ ସମୟର ଏକ ପୁରୁଣା ବ୍ଲେଜର ପିନ୍ଧିକ ଆସିଥିଲେ। ଯେଉଁ ବ୍ଲେଜରଟି ତାଙ୍କ ପାଇଁ ବହୁତ ଖାସ୍ ଥିଲା। ଗାଙ୍ଗୁଲୀ ନିଜର ସେହି ବ୍ଲେଜର ପିନ୍ଧିଥିଲେ, ଯାହା ତାଙ୍କୁ ଭାରତୀୟ ଟିମର ପ୍ରଥମ ଥର କ୍ୟାପଟେନ୍ ହେବା ପରେ ମିଳିଥିଲା। ଏନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ଗାଙ୍ଗୁଲି କହିଥିଲେ, “ମୁଁ ଯେତେବେଳେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିଲି, ମୋତେ ଏହି ବ୍ଲେଜର ମିଳିଥିଲା। ଏଥିପାଇଁ ଆଜି ଭଳି ଖାସ୍ ଅବସରରେ ମୁଁ ଏହି ବ୍ଲେଜରକୁ ପିନ୍ଧିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ବ୍ଲେଜର ମୋତେ ଏତେ ଢ଼ିଲା ହେବ ବୋଲି ଭାବିନଥିଲି।”