ରାଜନୈତିକ ଦୃଷ୍ଟିକୋଣରୁ ଦେଶର ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଶେଷ ହୋଇଯାଇଛି। ବଡ଼ ବଡ଼ ନେତାଙ୍କ ଭାଗ୍ୟ ଇଭିଏମ୍ ମେସିନରେ ବନ୍ଦ ହୋଇଯାଇଛି। ବିଧାନସଭା ପାଇଁ ଅନୁଷ୍ଠିତ ହୋଇ ଯାଇଥିବା ମତଦାନ ପରେ ଦେଶର ବିଭିନ୍ନ ସଂସ୍ଥା ପକ୍ଷରୁ କରା ଯାଇଥିବା ଏକଜିଟ୍ ପୋଲର ଆକଳନ ଏବେ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ୍ ପୋଲର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ପୁଣି ଶାସକ ବିଜେପି- ଶିବସେନା ମେଣ୍ଟ ବହୁମତ ହାସଲ କରି ଆଉ ଥରେ ସରକାର ଗଠନ କରିବ। ଏହି ଦୁଇ ରାଜ୍ୟରେ କଂଗ୍ରେସର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। କଂଗ୍ରେସକୁ ପୂର୍ବଭଳି ମହାରାଷ୍ଟ୍ର ଓ ହରିୟାଣାରେ ପରାଜୟ ଦେଖିବାକୁ ମିଳିବ। ଏହି ଦୁଇ ରାଜ୍ୟର ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ତେବେ ଜାଣନ୍ତୁ ବିଭିନ୍ନ ଏକଜିଟ୍ ପୋଲର ମତ…
ଟାଇମ୍ସ ନାଓ : ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି-ଶିବସେନା ମେଣ୍ଟ ୨୩୦ ସିଟ୍ ଦଖଲ କରିବ ବୋଲି ଆକଳନ କରିଛି ଟାଇମ୍ସ ନାଓ ଚ୍ୟାନେଲ୍। କଂଗ୍ରେସ-ଏନସିପି ମେଣ୍ଟ ମାତ୍ର ୪୮ଟି ସିଟରେ ସୀମିତ ରହିଯିବ ବୋଲି ଏକଜିଟ୍ ପୋଲ କହୁଛି । ଅନ୍ୟ ଖାତାକୁ ଯିବ ମାତ୍ର ୧୦ଟି ଆସନ।
ଇଣ୍ଡିଆ ଟୁଡେ-ମାଇଁ ଆକ୍ସିସ : ଏକଜିଟ୍ ପୋଲ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ୧୮୧, କଂଗ୍ରେସ ୮୧ ସିଟ୍ ପାଉଥିବା ବେଳେ ସ୍ୱାଧୀନ ଓ ଅନ୍ୟକୁ ମିଳିବ ମାତ୍ର ୨୬ଟି ଆସନ ।
ଏବିପି-ସି ଭୋଟର : ବିଜେପି ୨୦୪, କଂଗ୍ରେସ ୬୯ ଓ ଅନ୍ୟ ଦଳକୁ ୧୫ଟି ଆସନ ଯିବ।
ଟିଭି-୯ ମରାଠୀ : ବିଜେପି ୧୯୭, କଂଗ୍ରେସ ୭୫ ଓ ଅନ୍ୟମାନଙ୍କୁ ୧୬ଟି ଆସନ ମିଳିବ ।
ଜନ କି ବାତ୍ : ବିଜେପି ୨୨୩, କଂଗ୍ରେସ ୫୪ ଓ ଅନ୍ୟ ଦଳ ମାତ୍ର ୧୧ଟି ଆସନ ମିଳିବ।
ସେପଟେ ହରିଆଣା ପାଇଁ ମଧ୍ୟ ସମସ୍ତ ଆକଳନ ବିଜେପି ସପକ୍ଷରେ ରହିଛି।ଏକଜିଟ୍ ପୋଲର ଆକଳନ ଅନୁସାରେ ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ପୁଣିଥରେ ବିଜେପି ସରକାର ଗଢ଼ିବ ।
ଟାଇମ୍ସ ନାଓ : ବିଜେପି ୭୧ଟି ଆସନ ପାଉଥିବା ବେଳେ କଂଗ୍ରେସକୁ ମାତ୍ର ୧୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଜେଜେପି ୫ ଓ ଅନ୍ୟମାନଙ୍କୁ ୩ଟି ଆସନ ମିଳିବ ।
ଜନ୍ କି ବାତ୍: ବିଜେପି ୫୭, କଂଗ୍ରେସ ୧୭ ଓ ଅନ୍ୟ ଦଳ ୧୬ଟି ଆସନ ପାଇବେ ।
ନ୍ୟୁଜ୍ ଏକ୍ସ: ବିଜେପିକୁ ୭୭, କଂଗ୍ରେସକୁ ୧୧ ଓ ଅନ୍ୟ ଦଳକୁ ୨ଟି ଆସନ ଦେଇଛି ।