ହାତରେ ଥିଲା ମେଡାଲ, ମନରେ ଥିଲା ଅନେକ ଖୁସି। ମେଡାଲ ଧରି ଉତ୍ସାହିତ ମନରେ ଓଡ଼ିଶା ଫେରୁଥିଲେ। ରାତି ପ୍ରାୟ 12ଟାରେ ସମୟରେ ବସ ଇମ୍ଫାୱଲରୁ ଦିମାପୁର ଆଡକୁ ଦ୍ରୁତଗତିରେ ଯାଉଥିଲା। ଏହିସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡ଼ିଥିଲା। ବସରେ ଥିଲେ କୋଚଙ୍କ ସହ 25 ଜଣ ଓଡ଼ିଆ ଜୁଡ଼ୋ ଖେଳାଳି।
ମଣିପୁର ଇମ୍ଫାଲ ଠାର ଅନୁଷ୍ଠିତ ହୋଇଯାଇଥିବା ଅଲଇଣ୍ଡିଆ ସବଜୁନିୟର ଜୁଡୋ ପ୍ରତିଯୋଗିତା ଖେଳିବାକୁ ଓଡ଼ିଶାରୁ 28 ଜଣ ପ୍ରତିଯୋଗୀ ଯାଇଥିଲେ। ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଆକର୍ଷଣୀୟ ପ୍ରର୍ଶନ କରି ମେଡ଼ାଲ ଜିତି ଖୁସି ମନରେ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। 28ଜଣରୁ 3ଜଣ ଫ୍ଲାଇଟରେ ଘରକୁ ଫେରିଆସିଥିବା ବେଳେ 25ଜଣ ଟ୍ରେନ୍ ଧରିବା ପାଇଁ ବସରେ ଯାତ୍ରା କରୁଥିଲେ। ଏହି ସମୟରେ ହୋଇଥିଲା ଦୁର୍ଘଟଣା ଏବଂ 19 ଜଣ ଓଡ଼ିଆ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।