ସାରା ଓଡ଼ିଶାରେ ଥିବା ବିଭିନ୍ନ ଡାକ୍ତରଖାନାଗୁଡ଼ିକକୁ ମାରାଥନ୍ ଗସ୍ତ କରି 5T ସଚିବ ଭି.କେ ପାଣ୍ଡିଆନ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅନୁଧ୍ୟାନ କରୁଥିବା ବେଳେ ପ୍ରସୂତିମାନେ ଏବେ କିନ୍ତୁ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରୁଛନ୍ତି। ଯାହା ‘ମୋ ସରକାର’ ଯୋଜନାର ଅସଲ ମୁଖା ଖୋଲିଦେଇଛି। ରାଜଧାନୀ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସପିଟାଲରେ ଏଭଳି ଖବର ଆସିବାର ଦିନ କେଇଟା ପରେ ଏବେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କ ଭଦ୍ରକ ମେଡିକାଲ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ଏହା ପୂର୍ବରୁ ମେଡିକାଲ କର୍ତ୍ତୁପକ୍ଷ ଜଣେ ପସୂତିଙ୍କୁ ପ୍ରସବ ନ କରାଇ କଟକ ରେଫର କରିଥିଲେ। ଶେଷରେ ନିରାଶ ହୋଇ ମେଡିକାଲ ବାରଣ୍ଡାରେ ନିଜ ଶାଶୁ ଓ ମା’ର ସହାୟତାରେ ପ୍ରସବ କରିଥିଲେ ମହିଳା। ଡାକ୍ତରଙ୍କ ଅବହେଳା ଓ 108 ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ମେଡିକାଲର ବାରଣ୍ଡାରେ ସର୍ବସମ୍ମୁଖରେ ପ୍ରସବ କଲେ ମହିଳା।
ଏ କୌଣସି ଉପାନ୍ତ ଇଲାକାର ଦୃଶ୍ୟ ନୁହେଁ, ଖୋଦ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି। ଯାହା ସମସ୍ତଙ୍କୁ ହତବାକ କରିବା ସହ ସାରା ରାଜ୍ୟରେ ଚାଞ୍ଚ୍ୟଲ ଖେଳାଇଦେଇଛି। ସୂଚନା ଅନୁଯାୟୀ ଭଦ୍ରକ ତିହିଡି ଥାନା ତଳଦୁମୁକା ଗ୍ରାମର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ଠିକ ଭାବେ ଚିକିତ୍ସା ନକରାଇ କଟକ ରେଫର କରିଥିଲେ। ପରେ ଘର ଲୋକ କଟକ ନେବା ପାଇଁ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହୋଇଥିଲା। ଗର୍ଭବତୀ ମହିଳା ଜଣକ ମେଡିକାଲ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ଏପରି ଅବସ୍ଥାରେ କୌଣସି ଡାକ୍ତର କି ମେଡିକାଲ କର୍ମଚାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ। ଫଳରେ ସେହି ମେଡିକାଲ ବାରଣ୍ଡାରେ ଗର୍ଭବତୀ ମହିଳା ଜଣକ ପ୍ରସବ କରିଥିଲେ। ଶାଶୁ କଷ୍ଟ ସହିନପାରି ନିଜେ ବୋହୁର ପ୍ରସବ କରାଇଥିଲେ। ଡାକ୍ତରଙ୍କ ଅବହେଳା ଓ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ସରକାରଙ୍କ ମୋ ସରକାର ଯୋଜନା ବୋଧେ ଭଦ୍ରକ ମେଡିକାଲ କର୍ମଚାରୀଙ୍କୁ ଜଣା ନଥିବା ପରି ମନେ ହୁଏ। ଏପଟେ 5ଟି ସଚିବଙ୍କ ଭଦ୍ରକ ମେଡିକାଲ ଗସ୍ତକୁ ନେଇ ଜ଼ିଲ୍ଲାପ୍ରଶାସନ ତତ୍ପର ହୋଇଉଠିଥିବା ବେଳେ ଅନ୍ୟପଟେ ମେଡିକାଲ କର୍ମଚାରୀଙ୍କ ଅବହେଳା ପାଇଁ ଗର୍ଭବତୀ ମହିଳା ସର୍ବସମ୍ମୁଖରେ ବାରଣ୍ଡାରେ ପ୍ରସବ କରିବା ବଳି ଏକ ଲଜ୍ଜାଜନକ ସ୍ଥିତି ଉପୁଜିଛି। ଏଠି ପ୍ରଶ୍ନ ଉଠୁଛି କାହିଁକି ଗର୍ଭବତୀ ମହିଳାଙ୍କୁ ଭଦ୍ରକ ମେଡ଼ିକାଲ କର୍ତ୍ତୁପକ୍ଷ ଡାକ୍ତରଖାନାରୁ ବାହାର କରିଦେଲେ। ଯଦି ଗର୍ଭବତୀ ମହିଳା ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିଲା ତେବେ ବିନା ଡାକ୍ତରଙ୍କ ସାହାଯ୍ୟରେ ସଫଳ ଭାବେ କିପରି ସର୍ବସମ୍ମୁଖରେ ବାରଣ୍ଡାରେ ପ୍ରସବ କଲେ ପ୍ରସୂତି।