ଦେଶରେ ଦୁର୍ଗାପୂଜାର ମାହୋଲ। ଆଜି ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ। ଏହି ଅବସରରେ ଦେଶବାସୀଙ୍କୁ ମହାବିଜୟର ଉପହାର ଦେଇଛି ଟିମ୍ ଇଣ୍ଡିଆ। ବିଶାଖାପାଟଣାମ ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଭାରତ କବ୍ଜା କରିନେଇଛି। ଭାରତ 203 ରନର ବିଶାଳ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇଂନିସରେ 502 ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ 431 ରନ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଭାରତ 71 ରନର ଅଗ୍ରଣୀ ରହି ଦ୍ୱିତୀୟ ପାଳି ଖେଳିଥିଲା। ଦ୍ୱିତୀୟ ଇନିଂସରେ ଭାରତ 4ଟି ଓ୍ୱିକେଟ୍ ହରାଇ 323 ରନ୍ କରି ଦକ୍ଷିଣ ଆଫ୍ରିକା ଆଗରେ ଜିତିବା ପାଇଁ 395 ରନର ଟାର୍ଗେଟ ଛିଡ଼ା କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା ନ କରିପାରି ଦକ୍ଷିଣ ଆଫ୍ରିକା ମାତ୍ର 191 ରନ କରିବାକୁ ସକ୍ଷମ ହୋଇପାରିଥିଲା। ଭାରତ ପକ୍ଷରୁ ଦ୍ୱିତୀୟ ଇଂନିସରେ ମହମ୍ମଦ ସାମି 5ଟି ଓ ଜାଡ଼େଜା 4ଟି ୱିକେଟ୍ ହାସଲ କରିଛନ୍ତି। ମ୍ୟାଚର ଉଭୟ ପାଳିରେ ଆକର୍ଷଣୀୟ ଶତକ ହାସଲ କରିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଅଗ୍ରଣୀ ଲାଭ କରିଛି। ଆସନ୍ତା 10 ତାରିଖରେ ଦ୍ୱିତୀୟ ଟେଷ୍ଟ ପୁଣେ ଠାରେ ଖେଳାଯିବ।