ଆକ୍ସନ ମୁଡ଼ରେ ଏବେ ନବୀନ ସରକାର। କିଛିଦିନ ପୂର୍ବେ ଅନେକ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କୁ ସରକାର ଚାକିରିରୁ ହଟାଇଥିବା ବେଳେ ଅଜି ୪ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଧନ ଲୁଟିବା ସହ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିଲେ ଏହି ୪ଜଣ। ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣ ବରିଷ୍ଠ ଅଧିକାରୀଙ୍କ ନାଁରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଖରିଆର ଡିଭିଜନର ଡେପୁଟି କନଜରଭେଟର ଅଫ ଫରେଷ୍ଟ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଶରତଙ୍କ ନାଁରେ ସାଢ଼େ ୫ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ମାମଲା ରହିଥିଲା। ଏହା ସହ ସେ ୨୦୧୬ ବିମୁଦ୍ରାକରଣ ବେଳେ ସରକାରୀ ଚାକିରିଆ ଭାବେ ପରିବାର ନାଁରେ ବିପୁଳ ଟଙ୍କା ଜମା କରିଥିଲେ। ଜଙ୍ଗଲ ବିଭାଗର ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ଶରତଙ୍କୁ ଦର୍ଶାଯାଇଥିଲା। ସେହପରି ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସର ବସନ୍ତ ବେହେରାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ମିଳିଛି। ତାଙ୍କ ଘରୁ ୩.୬୧କୋଟି ଟଙ୍କା ଜବତ ହୋଇଥିଲା। ଡେପୁଟି କମିଶନର ଏକ୍ସାଇଜ ଦିଲୀପ ନାଗଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭିଜିଲାନ୍ସ ରେଡ଼ ବେଳେ ତାଙ୍କ ଘରୁ ୪୭.୫ଲକ୍ଷ ଟଙ୍କା ସିଜ୍ ହୋଇଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଦିଲୀପ ନାଗ ନିଲମ୍ବିତ ହୋଇଥିଲେ। ସରକାରୀ ଅର୍ଥ ହଡପ କରିଥିବା ଅଭିଯୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହକାରୀ ସାଧାରଣ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି।