ରୋହିତ ଶର୍ମାଙ୍କ ବିଶାଳ ଶତକ ପରେ ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଦ୍ଵିଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମେ ଟେଷ୍ଟରେ ଭାରତ ଭଲି ସ୍ଥିତିରେ ଅଛି। ଦ୍ୱିତୀୟ ଦିନରେ ଭାରତ 502 ରନ କରି ପାଳି ଘୋଷଣା କରିଥିଲା। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପାଳି ଆରମ୍ଭ କରିବା ସହ ସହଜରେ ପ୍ରାରମ୍ଭିକ ୱିକେଟ୍ ହରାଇଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 3 ଓ୍ଵିକେଟ୍ ହରାଇ 39 ରନ କରିଛି। ଡିନ୍ ଏଲଗର 27 ରନ ଓ ତେମ୍ବା ବାଭୁମା 2 ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ଭାରତଠୁ 463 ରନ ପଛରେ ରହିଛି। ଦୁଇ ଭେଟେରାନ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ 2 ଓ ରବୀନ୍ଦ୍ର ଜାଡ଼େଜା 1 ଓ୍ଵିକେଟ୍ ନେଇ ଭ୍ରମଣକାରୀ ଦଳକୁ ଅଡୁଆରେ ପକାଇଛନ୍ତି। ଭାରତର ବିଶାଳ ସ୍କୋର ଆଗରେ ଦକ୍ଷିଣ ଆଫ୍ରିକା ଚାପରେ ଥିବା ଦେଖିବାକୁ ମିଳିଛି। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
ଏହା ପୂର୍ବରୁ ଭାରତ 202 ରନରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିଲା। ପ୍ରଥମ ଦିନରେ 84 ରନ କରି ଅପରାଜିତ ଥିବା ମୟଙ୍କ 69ତମ ଓଭରରେ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଶତକ ପୂରଣ କରିଥିଲେ। ପ୍ରଥମ ସେସନରେ ରୋହିତ ଓ ମୟଙ୍କ ଆକର୍ଷଣୀୟ ଇଂନିସ ଖେଳିଥିଲେ। ଦ୍ଵିଶତକ ଅଭିମୁଖେ ଗତି କରୁଥିବା ରୋହିତ 176 ରନ କରି ଷ୍ଟମ୍ପ ଆଉଟ୍ ହୋଇଯାଇଥିଲେ। ରୋହିତ 244ଟି ବଲ ସମ୍ମୁଖୀନ ହୋଇ 23 ଚୌକା ଓ 6 ଛକା ମାରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ରୋହିତ ମୟଙ୍କ ସହିତ 317 ରନ ଯୋଡ଼ିଥିଲେ, ଯାହା ଭାରତ ପାଇଁ ଟେଷ୍ଟରେ ଓପନିଂ ଓ୍ଵିକେଟରେ ତୃତୀୟ ସବୁଠୁ ବଡ଼ ଭାଗିଦାରୀ।
ଏହାପରେ ଚମତ୍କାର ଖେଳ ପ୍ରଦର୍ଶନ କରି ମୟଙ୍କ ଦ୍ଵିଶତକ ପୂରଣ କରିଥିଲେ। ଦ୍ଵିଶତକ ପୂରଣ ପରେ ଅଗ୍ରଓ୍ଵାଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବଡ଼ ସଟ୍ ଖେଳିବାକୁ ଯାଇ ସେ ଡିନ୍ ଏଲଗରଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ମୟଙ୍କ 371 ବଲରୁ 23 ଚୌକା ଓ 6 ଛକା ଜରିଆରେ 215 ରନ କରିଥିଲେ।