ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ 100 ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି 4 ଓଡ଼ିଆ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ରାଜ୍ୟର ଦୁଇ ବରିଷ୍ଠ ଓଡ଼ିଆ ଅଧିକାରୀ ମଧ୍ୟ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ଏହି ତାଲିକାରେ 4 ଓଡ଼ିଆଙ୍କ ମଧ୍ୟରୁ ସବା ତଳେ ରହିଛନ୍ତି। ପୂର୍ବ ବର୍ଷ ତାଲିକାରେ ନବୀନ 30 ତମ ସ୍ଥାନରେ ଥିବାବେଳେ ଏଥର କିନ୍ତୁ 9ଟି ସ୍ଥାନ ତଳକୁ ଖସି 39ତମ ସ୍ଥାନରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ 32ରୁ ସିଧା 14ତମ ସ୍ଥାନରେ ପହଞ୍ଚିଛନ୍ତି। ନରେନ୍ଦ୍ର ମୋଦୀ ସରକାରରେ କ୍ରମାଗତ ଦ୍ୱିତୀୟ ବାର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଏହି ତାଲିକାରେ ନବୀନ ପଟ୍ଟନାୟକଙ୍କୁ ବହୁ ପଛରେ ପକାଇଦେଇଛନ୍ତି। ସେହିପରି ଓଡ଼ିଶାର ସମ୍ବଲପୁରରେ ଜନ୍ମିତ ଆଇଏଏସ୍ ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଏହି ତାଲିକାରେ 19 ତମ ସ୍ଥାନରେ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ୟତମ ଓଡ଼ିଆ ଅଧିକାରୀ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ 29ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ତାଙ୍କ ପଛକୁ ଯଥାକ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ ରହିଛନ୍ତି ।