ପାକିସ୍ତାନର ସବୁ ସ୍ୱପ୍ନ ଧୂଳିସାତ ହୋଇଗଲା। ପାକିସ୍ତାନକୁ ବଡ଼ ଝଟକା ଦେଇଛି ସାଉଦି ଆରବ। ମନେ ମନେ ସାଉଦି ଆରବକୁ ନିଜର ବନ୍ଧୁ ଦେଶ ମାନୁଥିବା ବେଳେ ଏହି ଦେଶଠାରୁ ଏବେ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି। ବିଶ୍ୱର ସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସାଉଦି ଆରବ ପାକିସ୍ତାନରେ ନୁହେଁ ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବାକୁ ଯାଉଛି। ଯାହାକୁ ନେଇ ପାକିସ୍ତାନ ଦୀର୍ଘ ଦିନ ଧରି ସ୍ୱପ୍ନ ଦେଖିଆସୁଥିଲା। ବିଶେଷ କରି ପେଟ୍ରୋକେମିକାଲ, ଭିତ୍ତିଭୂମି ଏବଂ ଖଣି ଆଦି କ୍ଷେତ୍ରରେ ଏହି ନିବେଶ ସାଉଦି ଆରବ ଭାରତରେ କରିବ। ଏହା ଉଭୟ ଦେଶର ବିକାଶରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି। ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଇର୍ଷାରେ ଜଳୁଛନ୍ତି। ପାକିସ୍ତାନ ଚାହୁଁଥିଲା ଯେ ଏହି ନିବେଶ ସାଉଦି ଆରବ ପାକିସ୍ତାନରେ କରୁ, ଯାହା ଦ୍ୱାରା ପାକିସ୍ତାନର ଆର୍ଥିକ ସ୍ଥିତି ବଦଳିଯିବ। ଏନେଇ ପାକିସ୍ତାନ ବେଶ ଆଶାବାଦୀ ମଧ୍ୟ ଥିଲା। ହେଲେ ପାକିସ୍ତାନର ସବୁ ଆଶା ଆଶାରେ ରହିଗଲା।
ସାଉଦି ରାଷ୍ଟ୍ରଦୂତ ଡକ୍ଟର ସାଉଦ୍ ବିନ୍ ମହମ୍ମଦ ଅଲ୍ ସତି କହିଛନ୍ତି, ଭାରତ ଏକ ଆକର୍ଷଣୀୟ ନିବେଶ ସ୍ଥଳ। ଦୀର୍ଘ ମିଆଦି ସହଭାଗୀତା ଉପରେ ଲକ୍ଷ୍ୟ ରଖି ଏହି ଯୋଜନା ଆରମ୍ଭ ହୋଇଥିବା ସେ କହିଛନ୍ତି। “ସାଉଦି ଆରବ ଭାରତରେ ନିବେଶ କରିବାକୁ ଥିବା ୧୦୦୦ କୋଟି ଡଲାର ବିଶେଷ କରି ଶକ୍ତି, ବିଶୋଧନ, ପେଟ୍ରୋକେମିକାଲ, ଭିତ୍ତିଭୂମି, କୃଷି, ଖଣି ଏବଂ ଖଣିଜ ସମ୍ପଦ ଉପରେ ନିବେଶ ହେବ।” ସାଉଦିର ସବୁଠାରୁ ବଡ଼ ତୈଳ କମ୍ପାନୀ ଆରାମ୍କୋର ରିଲାଏନ୍ସ ସହ ପ୍ରସ୍ତାବିତ ସହଭାଗୀତା ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବ। ସେ ଆହୁରି ମଧ୍ୟ କହିଥିଲେ, ତୈଳ ରପ୍ତାନୀ, ମାର୍କେଟିଂ, ବିଶୋଧନ, ପେଟ୍ରୋକେମିକାଲ ଏବଂ ଲୁବ୍ରିକାଣ୍ଟ ଆଦି କ୍ଷେତ୍ରରେ ଆରାମ୍କୋର ସଫଳତାରୁ ଭାରତ ଫାଇଦା ନେଇପାରିବ।