ଭାରତୀୟ ରେଳବାଇର ଆଉ ଏକ ସଫଳତା। ଦେଶର ୫ ହଜାର ଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଇବାରେ ନୂଆ ରେକର୍ଡ କରିଛି ଭାରତୀୟ ରେଳବାଇ। ଶନିବାର ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ପଶ୍ଚିମବଙ୍ଗର ମେଦିନାପୁର ରେଳଷ୍ଟେଶନରେ ମାଗଣା ୱାଇଫାଇ ବ୍ୟବସ୍ଥା ହେବା ପରେ ଏହା ଷ୍ଟେସନ ୫ ହଜାର ତାଲିକାରେ ପହଞ୍ଚିଛି। ଏ ସମ୍ପର୍କରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ୨୦୧୬ ଜାନୁୟାରୀରେ ଆରମ୍ଭ ହୋଇଥିବା ଏହି ଯୋଜନା ତିନିବର୍ଷ ଭିତରେ ଦେଶର ୫ ହଜାର ଷ୍ଟେସନକୁ ଛୁଇଁପାରିଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୁମ୍ବାଇ ସେଣ୍ଟ୍ରାଲ ରେଲ୍ୱେ ଷ୍ଟେଶନରୁ ଶୁଭାରମ୍ଭ ହୋଇଥିଲା ମାଗଣା ଓ୍ବାଇଫାଇ ସେବା ଏବେ ସାରା ଭାରତର କୋଣ ଅଣୁକୋଣରେ ପହଞ୍ଚିସାରିଛି। ରେଲ୍ୱେ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଇଷ୍ଟକୋଷ୍ଟ ରେଲୱେ ଅଧିନରେ ୧୬୩ରୁ ଊର୍ଦ୍ଧ୍ୱ ଷ୍ଟେଶନରେ ମାଗଣା ୱାଇଫାଇ ସୁବିଧା ଉପଲବ୍ଧ ହୋଇ ସାରିଛି।