ବିଜେପୁରରେ ଅନୁକମ୍ଫା VS ସ୍ୱାଭିମାନ’ର ଲଢେଇ

ସବୁ କଳ୍ପନା ଜଳ୍ପନା ଶେଷ ହେଲା। ବିଜେପୁର ପାଇଁ ବିଜେପି ତାର ପ୍ରାର୍ଥୀ ନାଁ ଘୋଷଣା କରିଛି। ବିଜେପି ନିଜର ପ୍ରାର୍ଥୀ ଭାବରେ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି। ପୂର୍ବରୁ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢ଼ି ସନତ ଗଡ଼ତିଆ ବିଜେପି ସପକ୍ଷରେ ବିଜେପୁରରେ ଏକ ମାହୋଲ ସୃଷ୍ଟି କରିଥିଲେ। ଫଳରେ ପୁଣି ଥରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଗଡ଼ତିଆଙ୍କ ନାମ ଘୋଷଣା କରିଛି। ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଶନିବାର ରୀତା ସାହୁଙ୍କୁ ବିଜେଡ଼ି  ପ୍ରାର୍ଥୀ ଭାବେ ଦଳ ସୁମ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଭାଜପା କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଲୋକଙ୍କ ନଜର ରହିଥିବା ବେଳେ ଦଳ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ନାମାଙ୍କନ ଦାଖଲ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସଜବାଜ ଆରମ୍ଭ କରିଦେଇଛନ୍ତି। ସୋମବାର ତିନି ଦଳର ପ୍ରର୍ଥୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବା ସହ ଶକ୍ତିପ୍ରଦର୍ଶନ କରିବେବିଶେଷ କରି ସୋମବାର ନାମାଙ୍କନ ଥିବାବେଳେ ଏହି ଦିନରୁ ହିଁ ପ୍ରମୁଖ ରଜନୈତିକ ଦଳ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି।

ବିଜେପୁର ବିଧାନସଭା ସିଟ୍ ଦୀର୍ଘ ଦିନ ଧରି ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଗଡ଼ ରୂପେ ଗଣା ହୁଏ। ତେବେ ତାଙ୍କର ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିରେ ମିଶାଇବା ସହ ବିଜେପୁର ପାଇଁ ପ୍ରାର୍ଥୀ କରାଯାଇଥିଲା। ଏବଂ ସେଠାରେ ରୀତା ସାହୁ ଅନୁକମ୍ଫାମୂଳକ ଭୋଟ ପାଇ ପ୍ରଥମେ ବିଜୟୀ ହୋଇଥିଲେ। ଏହାପରେ ସାଧାରଣ ନିର୍ବାଚନରେ କିନ୍ତୁ ରୀତା ସାହୁଙ୍କୁ ଟିକଟେ ନଦେଇ ନିଜେ ସଭାପତି ନବୀନ ବିଜେପୁରରେ ଲଢିଥିଲେ। କିନ୍ତୁ ସେ ଦୁଇଟି ଆସନ୍ତୁ ଜିତିଥିବାରୁ ଗୋଟିଏ ଛାଡ଼ିଥିଲେ। ତେଣୁ ପୁଣିଥରେ ବିଜେପୁରବାସୀ ଦେଢ ବର୍ଷ ଭିତରେ 3 ଥର ନିର୍ବାଚନ ଦେଖିବାକୁ ଯାଉଛିନ୍ତି। ଏଥର ମଧ୍ୟ ଅନୁକମ୍ଫାମୂଳକ ଭୋଟ ସାଉଁଟି ରାଜନୈତିକ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ରୀତା ସାହୁ। ସେପଟେ ସର୍ବପ୍ରଥମେ କଂଗ୍ରେସ ନିଜ ପ୍ରାର୍ଥୀ ଭାବେ ଦିଲ୍ଲୀପ ପଣ୍ଡାଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ପିସିସି ସଭାପତିଙ୍କ ଯୁଦ୍ଧ ପୂର୍ବରୁ ଅସ୍ତ୍ର ତ୍ୟାଗ ଭଳି ମନ୍ତବ୍ୟ କଂଗ୍ରେସ ଶିବିରରେ ନିରାଶା ଭରିଦେଇଛି। ସେପଟେ ଏହାରି ଭିତରେ ପରାସ୍ତ ପରେ ମଧ୍ୟ ଦୀର୍ଘଦିନ ଧରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବା ସହ ଦଳକୁ ସେଠାରେ ମଜଭୁତ କରିବାକୁ ସନତ ଗଡ଼ତିଆ ଉଦ୍ୟମ କରିଆସୁଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କଂଗ୍ରେସ ନିର୍ବାଚନ ପୂର୍ବରୁ ହାର ମାନିସାରିଥିବା ବେଳେ ଏବେ ବିଜେଡି ଓ ବିଜେପି ମଧ୍ୟରେ ବିଜେପୁରରେ ଡାଇରେକ୍ଟ ଫାଇଟ୍ ହେବାକୁ ଯାଉଛି। ତେବେ ରୀତା ସାହୁଙ୍କ ଅନୁକମ୍ଫାମୂଳକ ଭୋଟ ମିଳୁଛି  ନାଁ  ସନତ ଗଡ଼ତିଆଙ୍କୁ ସ୍ୱାଭିମାନର ଭୋଟ ମିଳୁଛି ତାହା ଆଗମୀ ଦିନରେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *