ଆଜି ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ବର୍ଷାଦିନ 4ମାସ ପିଲାମାନେ ପାଠପଢିବାକୁ ସ୍କୁଲ ଯାଇପାରନ୍ତି ନାହିଁ। ଅନେକ ଗାଁକୁ ରାସ୍ତା ନାହିଁ, ବର୍ଷା ଦିନରେ ଗାଁକୁ ଗାଡ଼ିମଟର କଥା ଛାଡନ୍ତୁ ଜୋତା ପିନ୍ଧି ଯିବା ଆସିବା କରିବା ଅସମ୍ଭବ। ଆମେ ଆନ୍ୟ କେଉଁ ଦୁର୍ଗମ ଅଞ୍ଚଳ କଥା କହୁନାହିୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଏମିତି ଗାଁ ଅଛି ଯେଉଁ ଗାଁରୁ ଲୋକେ ଜରୁରୀ ସମୟରେ ଘରୁ ଗୋଡ଼ କାଢି ଅନ୍ୟତ୍ର ଯିବାକୁ ହେଲେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ପ୍ରସୂତିମାନଙ୍କୁ ଧାନ ବିଲ ହିଡ଼ ଉପରେ ବୋହିବୋହି ନେବାକୁ ପଡ଼ୁଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳକୁ ଲାଗିଥିବା ତେନ୍ତୁଲିଡ଼ିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆପଣଙ୍କୁ ଲଜ୍ଜିତ କରିବା ସହ ଚିନ୍ତାରେ ମଧ୍ୟ ପକାଇବ। କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କ ଝିଅ ବିଣା ପ୍ରଧାନଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ମେଡ଼ିକାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଡକାଇଥିଲେ। ମାତ୍ର ଆମ୍ବୁଲାନ୍ସ ସହିତ ଯୋଗାଯୋଗ ନହେବାରୁ ଚାନ୍ଦବାଲି ବଜାରରୁ ଏକ ଅଟୋ ଡକାଯାଇଥିଲେ। ଗାଁକୁ ରାସ୍ତା ନଥିବାରୁ ଅଟୋଟି ଗାଁ ମୁଣ୍ଡ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସାଙ୍ଗୀଭାରରେ ପ୍ରସୂତିଙ୍କୁ ବୋହି ବୋହି ୩କିମି ବିଲ ରାସ୍ତାରେ ଆଣିବା ପରେ ମୁଖ୍ୟରାସ୍ତାରେ ଅଟକିଥିବା ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ଅଣାଯାଇଥିଲା। ଏହା ହେଉଛି ଚାନ୍ଦବାଲିର ବିକାଶର ଚିତ୍ର। ଏହା ଗୋଟିଏ ଗାଁରେ ସିମିତ ନୁହେଁ ଏହି ବ୍ଲକରେ ଏମିତି ଅନେକ ଗାଁ ଅଛି ଯେଉଠି ଲୋକେ ବର୍ଷା ଦିନେ ଘରୁ ବାହାରିବାକୁ ଡରନ୍ତି। ବର୍ଷା ଦିନ ଆରମ୍ଭ ହେବା ପୂର୍ବରୁ ପାଖାପାଖି 4ମାସ ପର୍ଯ୍ୟନ୍ତ ଲୋକେ ରାସନ ସମାଗ୍ରୀ କିଣିଆଣି ଘରେ ରଖିଥାନ୍ତି। କାରଣ ବର୍ଷା ଆରମ୍ଭ ହୋଇଗଲେ ଗାଁରୁ ବାହିରିବା ମୁସ୍କିଲ। ଗାଁକୁ ରାସ୍ତା ନଥିବାରୁ ଡାକ୍ତରଖାନ କିମ୍ବା ଅନ୍ୟ ଆବଶ୍ୟକୀୟ ସମୟରେ ପାଣିକାଦୁଅରେ ଯିବା ଆସିବା କରିବାକୁ ପଡିଥାଏ। କେବେ ଏ ପରିସ୍ଥିତି ସୁଧୁରିବ, ଆଉ କେତେ ବର୍ଷ ଲାଗିବ ଚାନ୍ଦବାଲି ବ୍ଲକରେ ଥିବା ଗାଁ ଗୁଡ଼ିକକୁ ମୁଖ୍ୟରାସ୍ତା ସହ ସଂଯୋଗ କରାଯିବ, ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।