ଆମେରିକାର ହଷ୍ଟନ୍ରେ ଅନୁଷ୍ଟିତ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଭାରତ ପାଇଁ ଏହା ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ପାଇଁ ହଷ୍ଟନର ଏନ୍ଆର୍ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟ-ଆମେରିକୀୟଙ୍କ ଉପସ୍ଥିତି ବିଶ୍ୱକୁ ନୂଆ ବାର୍ତ୍ତା ପ୍ରଦାନ କରିଛି। ଯେଉଁଠି ୪ ଶହରୁ ଅଧିକ କଳାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ‘ହାଉଡ଼ି ମୋଦି’, ୱେଲ୍କମ୍ ମୋଦିଜୀ ଏବଂ ନମୋ-ନମୋ ସ୍ଲୋଗାନରେ ସମଗ୍ର ଷ୍ଟାଡିୟମ ପ୍ରକମ୍ପିତ ହୋଇଉଠିଥିଲା। ମୋଦିଙ୍କ ସ୍ୱାଗତ ସମାରୋହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୂରା ସମୟ ଉପସ୍ଥିତ ଥିଲେ ଏବଂ ଭାରତୀୟ-ଆମେରିକୀୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ମୋଦିଙ୍କ ସ୍ୱାଗତ ପାଇଁ ଟେକ୍ସାସ ଗଭର୍ଣ୍ଣରଙ୍କ ସମେତ ୬୦ରୁ ଅଧିକ ପ୍ରଭାବଶାଳୀ ଆମେରିକୀୟ ସାଂସଦଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଟେକ୍ସାସର ଭବ୍ୟ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଆମେରିକାରେ ବାସ କରୁଥିବା ଜଣେ ପ୍ରବାସୀ ଭାରତୀୟ ଭିନ୍ନକ୍ଷମ ବାଳକ ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକ ଗାନ କରିସମସ୍ତଙ୍କୁ ଚକିତ କରିଥିଲେ। ଅନ୍ୟପଟେ ହାଉଡ଼ି ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ଓଡ଼ିଶା ପ୍ରୀତି ଦେଖିବାକୁ ମିଳିଥିଲା। ହଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତୋଟି ଭାରତୀୟ ଭାଷାର ଉଚ୍ଚାରଣ କରିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ଓଡ଼ିଆ ଭାଷା ରହିଥିଲା। ହାଉଡ଼ି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଥିଲେ ମୁଁ ଏକା କିଛି ନୁହେଁ। ୧୩୦ କୋଟି ଲୋକଙ୍କ ନିର୍ଦ୍ଦେଶରେ ମୁଁ କାର୍ଯ୍ୟ କରୁଛି। ଆପଣମାନେ ଯଦି ପ୍ରଶ୍ନ କରିବେ ମୋଦୀ ଆପଣ କିପରି ଅଛନ୍ତି? ତାହେଲେ ମୁଁ କହିବି ଭାରତରେ ସବୁ କିଛି ଭଲ ଅଛି। ଏଥିରେ ସେ ଓଡ଼ିଆରେ ‘ସବୁ ଭଲ ଅଛି’ ବୋଲି କହିଥିଲେ।