ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାରା ଦେଶରେ ଜୋରଦାର ଧରପକଡ଼ ଚାଲିଛି। ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। କେତେବଳେ ସ୍କୁଟି ଚାଳକ ଏକ ଲକ୍ଷ ଟଙ୍କା ଜୋରିମାନା ଦେଉଥିବା ବଳେ ଟ୍ରକ ଚାଳକଙ୍କୁ 6 ଲକ୍ଷ ଟଙ୍କା ଫାଇନ୍ ହେଉଛି। ପ୍ରତିଦିନ ଏଭଳି କିଛି ଅଜବ ଖବର ମଧ୍ୟ ଦେଖିବାକୁ ମିଳିଛି। ଆମେ ଆପଣଙ୍କୁ ଏମିତି କିଛି ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ଚକିତ କରିବ। ରବିବାର ରାତିରେ ମଧ୍ୟପ୍ରଦେଶର ଇନ୍ଦୋରରେ ଟ୍ରାଫିକ୍ ପୋଲିସ ଗାଡି ଗୁଡିକ ଯାଞ୍ଚ କରିବା ସହ ଚାଲାଣ କାଟୁଥିବା ଦେଖାଯାଇଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ପୋଲିସ ଅଟକାଇ ତାଙ୍କ ଗାଡିର କାଗଜ ପତ୍ର ମାଗିଥିଲା। ହେଲେ ବ୍ୟକ୍ତି ଜଣଙ୍କ ପୋଲିସ ସହ ଯୁକ୍ତି କରିଥିଲା। ଏହାପରେ ପୋଲିସ ତାଙ୍କ ଉପରେ ୫ଶହ ଟଙ୍କା ଚାଲାଣ କାଟିବାରୁ ବ୍ୟକ୍ତି ଜଣଙ୍କ ହଠାତ୍ ନିଜ ବାଇକରେ ନିଆଁ ଲଗାଇ ଦେବା ସହ ସେଠାରୁ ଫେରାର ହୋଇଯାଇଛି। ପୋଲିସ ଘଟଣାକୁ ନେଇ ଯାଞ୍ଚ କରିବା ସହ ଫେରାର ଥିବା ଗାଡି ଚାଳକଙ୍କୁ ଖୋଜୁଛି।