ଆମେରିକାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମର ସଫଳତାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ମୋଦି-ଟ୍ରମ୍ପ ମିଳିତ ଭାବେ ଯେଉଁ ଭଳି ଏହି କାର୍ଯ୍ୟକ୍ରମରେ ସାମ୍ନାକୁ ଆସି ଜଣେ ଅନ୍ୟ ଜଣଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହାକୁ ନେଇ ଜଳୁଛି ପାକିସ୍ତାନ। ପାକିସ୍ତାନ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ୱକୁ ସହଜରେ ଗ୍ରହଣ କରିପାରୁନି। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ପ୍ଲାନ୍ ମଧ୍ୟ କରିଥିଲା। ହେଲେ ଏହି ପ୍ଲାନ୍ ଫେଲ୍ ମାରିଥିଲା। ଟେକ୍ସାସର ହ୍ୟୁଷ୍ଟନ୍ ସହରରେ ଅନୁଷ୍ଠିତ ଏହି ମେଗା ଇଭେଣ୍ଟକୁ ଭଣ୍ଡୁର କରିବାକୁ ପାକିସ୍ତାନ ଜୋରଦାର ଉଦ୍ୟମ କରିଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ ଆମେରିକାରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚେଷ୍ଟା କରାଯାଇଥିଲା। ତା’ ପରେ ସୋସିଆଲ ମିଡିଆରେ ମଧ୍ୟ କାର୍ଯ୍ୟକ୍ରମ ବିଷୟରେ ବିଭ୍ରାନ୍ତିକର ତଥ୍ୟ, ମୋଦି ବିରୋଧୀ ନାରା ଛାଡ଼ିଥିଲା ପାକିସ୍ତାନ। ଏମିତିକି କାର୍ଯ୍ୟକ୍ରମର ସିଡ୍ୟୁଲ୍ ବିଷୟରେ ବିଭିନ୍ନ ଆକାଉଣ୍ଟରୁ ଭୁଲ୍ ତଥ୍ୟ ସବୁ ଛଡ଼ାଯାଇଥିଲା। ଏ ସବୁ ମେସେଜକୁ ନେଇ ତଦନ୍ତ କଲାପରେ ଜଣାପଡ଼ିଥିଲା ଯେ, ଏଥିରୁ ଅଧିକାଂଶ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଶାସକ ଦଳ ପାକିସ୍ତାନ ତେହେରିକ ଇ-ଇନସାଫ୍ ବା ପିଟିଆଇ ସହ ଜଡ଼ିତ। କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଭାରତର ବିରୋଧୀ ପୋଷ୍ଟର ଓ ଲିଫ୍ଲେଟ୍ ଛପାଯାଇ ବଣ୍ଟା ଯାଇଥିଲା। ସବୁ ଚାଲ ପରେ ବି ହାଉଡ଼ି ମୋଦି କାର୍ଯ୍ୟକ୍ରମ ସଫଳ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତକାଲି ରାତିରେ ଶୋଇପାରିନଥିବା କୁହାଯାଉଛି। ଆମେରିକା ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ କେହି ଅଧିକାରୀ ଆସିନଥିବା କଥା ତାଙ୍କୁ ଯେତିକ କଷ୍ଟଦେଇଥିଲା ତାହା ଠାରୁ ଅଧିକ କଷ୍ଟ ହାଉଡ଼ି ମୋଦି କାର୍ଯ୍ୟକ୍ରମ ଦେଇଥିବା ଚର୍ଚ୍ଚା ହେଉଛି।