ଚଳିତ ମାସ ଶେଷ ସପ୍ତାହରେ 4 ଦିନ ଧରି ବ୍ୟାଙ୍କ ବନ୍ଦ ରହିପାରେ,ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣର ନିଷ୍ପତି ବିରୋଧରେ ଚାରୋଟି ୟୁନିୟନ 26 ଏବଂ 27 ସେପ୍ଟେମ୍ବରରେ ଦୁଇ ଦିବସୀୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟର ଆହ୍ଵାନ ଦେଇଛନ୍ତି। ତେବେ ଏହାପରେ 28 ଓ 29 ତାରିଖ ମଧ୍ୟ ବ୍ୟାଙ୍କ ରହିବ। ମାସର ଶେଷ ଶନିବାର ହୋଇଥିବାରୁ 28 ତାରିଖରେ ବ୍ୟାଙ୍କ ବନ୍ଧ ରହିବା ସହ ଏହାର ପରଦିନ 29 ତାରିଖ ରବିବାର ଥିବାରୁ ସ୍ୱାଭିବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର 30 ଓ ଅକ୍ଟୋବର 1ରେ ବ୍ୟାଙ୍କ ଖୋଲାରହିବ। ପୁଣି ଦୁଇ ତାରିଖରେ ଗାନ୍ଧୀ ଜୟନ୍ତୀ ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।
ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ୟୁନିଯନ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ, ଇଣ୍ଡିଆନ୍ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ ଏବଂ ନ୍ୟାସନାଲ ଅର୍ଗନାଇଜେସନ ଅଫ ବ୍ୟାଙ୍କ ଅଫିସର୍ସ ସଂଯୁକ୍ତ ରୂପରେ 26 ଏବଂ 27 ସେପ୍ଟେମ୍ବର ଦୁଇଦିନ ଦେଶବ୍ୟାପୀ ଧର୍ମଘଟଙ୍କ ଆହ୍ଵାନ କରିଛନ୍ତି। ଏହାସହ ଏହି ଧର୍ମଘଟକୁ ବିଭିନ୍ନ ୟୁନିୟନ ସମର୍ଥନ ଦେବେ ବୋଲି କୁହାଯାଇଛି। ଆପଣଙ୍କୁ ଜଣାଇ ଦେବାକୁ ଚାଂହୁଛୁ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ 30 ଅଗଷ୍ଟରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ହେବାନେଇ ଘୋଷଣା କରିଥିଲେ। ପାଞ୍ଚ ବର୍ଷର ଆର୍ଥିକ ମାନ୍ଦାବସ୍ଥାକୁ ଠିକ ଦିଗକୁ ଆଣିବା ଆବଶ୍ୟକ ଏବଂ ବିକାଶକୁ ଆଗକୁ ବଢ଼ାଇବା ଆବଶ୍ୟକ ସେଥିପାଇଁ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।