ସବୁ ରେକର୍ଡ ଭାଙ୍ଗିଦେଲା ଓଡ଼ିଶା: ଟ୍ରକ ଡ୍ରାଇଭରଙ୍କ ଉପରେ ୮୬ ହଜାର ୫୦୦ ଟଙ୍କା ଫାଇନ୍

ଇତିହାସ ରଚିଲା ଓଡ଼ିଶା ପୋଲିସ। ଜୋରିମାନା ଆଦାୟରେ ନୂଆ ରେକର୍ଡ ସୃଷ୍ଟି କଲା ଓଡ଼ିଶା। ନୂଆ ଟ୍ରାଫିକ ଆଇନ ଉଲଂଘନ କରିଥିବାରୁ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ନାଁରେ ୮୬ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି। ଏଭଳି ଘଟଣା ଏଥର ସମ୍ବଲପୁରରେ ଦେଖିବାକୁ ମିଳିଛି। ପୂର୍ବରୁ ରାଜଧାନୀରେ ସର୍ବାଧିକ ୫୨,୫୦୦ ଟଙ୍କା ଜଣେ ଅଟୋ ଚାଳକଙ୍କ ଉପରେ ଫାଇନ୍ ହୋଇଥିଲା। ଏଥର କିନ୍ତୁ ସବୁ ରେକର୍ଡ ଭାଙ୍ଗିଦେଇଛନ୍ତି ସମ୍ବଲପୁର ପୋଲିସ। ଜୋରିମାନ ଅଦାୟରେ ସାରା ଦେଶରେ ଓଡ଼ିଶା ରେକର୍ଡ କରିଛି। ନୂଆ ଟ୍ରାଫିକ ନିୟମ ଆଧାରରେ ଜଣେ ଟ୍ରକ ଡ୍ରାଇଭରଙ୍କ ନାଁରେ ୮୬ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଥିବା ବେଳେ ୭୦ ହଜାର ଟଙ୍କା ଆଦାୟ କରାଯାଇଛି। ଡ୍ରାଇଭର ଜଣକ ହେଲେ ଅଶୋକ ଯାଦବ। ଟ୍ରକ୍‌ଟି ତାଳଚେରରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ପକ୍ଷରୁ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଓଭର ଲୋଡିଂ ଓ ବିନା ଡ୍ରାଇଭିଂ ଲାଇନ୍‌ସେନ୍ସ ସହ ଚାରୋଟି ନିୟମ ଉଲଂଘନ କରିଥିବାରୁ ଟ୍ରକ ଡ୍ରାଇଭରଙ୍କୁ ୮୬ ହଜାର ୫୦୦ ଟଙ୍କା ଜୋରିମାନ କରାଯାଇଥିଲା। ପରେ ଡ୍ରାଇଭର ୭୦ ହଜାର ଟଙ୍କା ଜୋରିମାନା ଦେଇଥିବା ଜଣା ପଡ଼ିଛି। ଟ୍ରକ୍‌ର ରେଜିଷ୍ଟ୍ରେସନ୍‌ ନାଗାଲାଣ୍ଡର ହୋଇଥିବା ଜଣାପଡ଼ିଛି। ଟ୍ରକ୍‌ ଡ୍ରାଇଭରଙ୍କୁ ଏତେ ପରିମାଣର ଜୋରିମାନା ହୋଇଥିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୋରିମାନା ଆଦାୟରେ ଓଡ଼ିଶା ସାରା ଭାରତରେ ଏକ ନମ୍ବର ରାଜ୍ୟ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବାଧିକ ଟଙ୍କା ଆଦୟ କରିବାରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *