ଆଜି ରାତି 2ଟା ଯାଏ ମୋଦି ରହିବେ ଅନିଦ୍ରା, ଦେଶବାସୀଙ୍କୁ ଅନିଦ୍ରା ରହିବାକୁ କଲେ ନିବେଦନ

ଭାରତର ମହାକାଶ ମିଶନ ଚନ୍ଦ୍ରଯାନ-୨ ଉପରେ ସାରାବିଶ୍ୱର ବୈଜ୍ଞାନିକ ଓ ମହାକାଶ ସଂସ୍ଥାମାନଙ୍କର ନଜର। ଆଉ କିଛି ସମୟ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ନୂଆ ଇତିହାସ ସୃଷ୍ଟି କରିବ ଚନ୍ଦ୍ରଯାନ-୨। ଆଜି ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ ଓହ୍ଲାଇବାକୁ ଯାଉଛି। ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଓହ୍ଲାଇଥିବା ବେଳେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବାକୁ ଯାଉଛି। ଚନ୍ଦ୍ରଯାନ-୨ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଦେଖିବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଛନ୍ତି। ଅବତରଣ ପୂର୍ବରୁ ସେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ଦେଶର 130 କୋଟି ଲୋକଙ୍କୁ ଅପିଲ୍‌ କରି କହିଛନ୍ତି, ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ଫଟୋ ଟୁଇଟ୍‌ କରନ୍ତୁ। ଏହାକୁ ମୁଁ ମଧ୍ୟ ରି-ଟୁଇଟ୍‌ କରିବି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ମୁଖ୍ୟାଳୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସିଧାପ୍ରସାରଣ କାର୍ଯ୍ୟକ୍ରମ ରହିଛି। ଯାହାକୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ବାଙ୍ଗାଲୋର ଯାଉଛନ୍ତି। ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବା ପାଇଁ ମୋଦିଙ୍କ ସହ ଦେଶର ୬୦ ଜଣ କୁନି ସ୍କୁଲ ପିଲା ସାମିଲ ହେବେ।

Leave a Reply

Your email address will not be published. Required fields are marked *