ଅଟୋ ଚାଳକଙ୍କୁ 47 ହଜାର 500 ଟଙ୍କା ଫାଇନ୍। ଏଭଳି ଘଟଣା ଅନ୍ୟ କୌଣସି ସ୍ଥାନରେ ନୁହେଁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ନୂଆ ମୋଟର ଆଇନ୍ ଲାଗୁହେବା ପରେ ଏଭଳି ଜଣେ ଅଟୋ ଚାଳକଙ୍କ ବିରୋଧରେ 47 ହଜାର 500ଟଙ୍କା ଫାଇନ୍ କାଟିଛି ପୋଲିସ। ବୁଧବାର ଭୁବନେଶ୍ୱର ଆଚାର୍ଯ୍ୟବିହାର ଛକରେ ଚେକିଂ ଚାଲିଥିବା ବେଳେ ପୋଲିସ ଜାଲରେ ପଡିଥିଲେ ଜଣେ ଅଟୋ ଚାଳକ। ଏହି ଅଟୋ ଚାଳକ ହେଲେ ହରିବନ୍ଧୁ କହଁର। ସେ ସ୍ଥାନୀୟ ବଡ଼ଗଡ଼ ଅଞ୍ଚଳରେ ରହୁଥିବା ବେଳେ ଘର ନୟାଗଡ଼ ବୋଲି ଜଣାପଡ଼ିଛି। ପ୍ରଥମେ ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ତାଙ୍କୁ 500 ଟଙ୍କା ଫାଇନ୍ କରାଯାଇଥିଲା। ପରେ ଜଣା ପଡ଼ିଥିଲା ଯେ ସେ ମଦ୍ୟପାନ କରି ଗାଡ଼ି ଚଲାଉଛନ୍ତି। ଫଳରେ ପୋଲିସ 10 ହଜାର ଟଙ୍କା ଫାଇନ୍ କାଟିଥିଲା। ଏହାପରେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ 5 ହଜାର, ପ୍ରଦୂଷଣ ନିୟମ ଉଲଘଂନ ପାଇଁ 10 ହଜାର, ଅନଧିକୃତ ଭାବେ ଗାଡି ଚଳାଉଥିବାରୁ 5 ହଜାର, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଉଥିବାରୁ 5ହଜାର, ବିନା ପରମିଟରେ ଗାଡ଼ି ଚଳାଉଥିବାରୁ 10ହଜାର ଓ ଇନସୁରାନ୍ସ ନଥିବାରୁ 2 ହଜାର ଟଙ୍କା ଫାଇନ୍ କାଟିଥିଲା ପୋଲିସ। ସେପଟେ ଅଟୋ ଚାଳକଙ୍କୁ ପୋଲିସର ଏଭଳି ଫାଇନ୍ କଥା ଜଣା ପଡ଼ିବା ପରେ ବିଜୁଳି ବେଗରେ ଏହି ଖବର ସାରା ସହରରେ ଘୁରି ବୁଲିଲା। ପୋଲିସର ଏହି ଫାଇନ୍ ପରେ ମୁଁ ଖୋଲିଛନ୍ତି ଅଟୋ ଚାଳକ। ସେ କହିଛନ୍ତି, ମୁଁ ସାତ ଦିନ ପୂର୍ବରୁ ଏହି ଅଟୋକୁ ୨୬ ହଜାର ଟଙ୍କା ଦେଇ କିଣିଛି। ତେଣୁ ଅଟୋର ଦାମର ଦୁଇ ଗୁଣା ଫାଇନ୍ କେମିତି ଦେବି।