କମିଶନରେଟ ପୋଲିସକୁ ବଡ଼ ସଫଳତା। କଟକ ପରେ ରାଜଧାନୀରେ ନକଲି ତେଲ କାରଖାନା ଠାବ। ଲକ୍ଷ୍ମୀସାଗର ହାଉସିଂ ବୋର୍ଡ କଲୋନୀରେ ବେଆଇନ ଭାବେ ଚାଲିଥିବା ନକଲି ତେଲ କାରଖାନାକୁ ଠାବ କରିଛି କମିଶନରେଟ୍ ପୋଲିସ। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା 4ଜଣଙ୍କୁ ଅଟକ ରଖିବା ସହ ବିପୁଳ ପରିମାଣରେ ନକଲି ତେଲ ମଧ୍ୟ ଜବତ କରିଛି ପୋଲିସ। ଭୁବନେଶ୍ୱରରେ ଏହା ଏକମାତ୍ର କାରଖାନ ନୁହେଁ ରାଜ୍ୟରେ ଏଭଳି ଅନେକ ନକଲି ତେଲ କାରଖାନା ଅଛି ବୋଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଜଣା ପଡ଼ିଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ତେଲ କାରଖାନା ଚାଲୁଥିବା ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରିଥିଲେ। ଏମାନେ ଅସଲି ଡବାରେ ନକଲି ଗୁଆ ଘିଅ, ରାଶି ତେଲ ସାଙ୍ଗକୁ ଆହୁରି ଅନେକ ପ୍ରକାରର ନକଲି ତେଲ ଭର୍ତ୍ତି କରି ବଜାରକୁ ଛାଡୁଥିଲେ। ଏହି କାରଖାନାରେ ବିନା ଟ୍ରେଡ ଲାଇସେନ୍ସରେ ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା।