ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତୀୟ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଆଜି ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍ ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନର ପ୍ରସ୍ତାବକୁ ଖାରଜ କରିଛି ଭାରତ। ପାକିସ୍ତାନର ପ୍ରସ୍ତାବରେ ଭାରତ ନିଜ ପକ୍ଷ ସ୍ପଷ୍ଟ କରି କହିଛି, ‘କଟକଣା ବିହୀନ’ ଏବଂ ‘ଅବାଧ’ ଅନୁମତି ନ ମିଳିଲେ ଏହାକୁ ଭାରତ ଗ୍ରହଣ କରିପରିବନି। କୁଳଭୂଷଣଙ୍କୁ ପାକିସ୍ତାନ ଶୁଣାଇଥିବା ମୃତ୍ୟୁ ଦଣ୍ଡ ଉପରେ ଗତ ଜୁଲାଇ ୧୭ରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ) ରୋକ୍ ଲଗାଇଥିଲେ। ଅନ୍ୟପକ୍ଷରେ ଭିଏନା ଚୁକ୍ତି ଅନୁଯାୟୀ, କୌଣସି ବିଦେଶୀ ଦେଶର ନାଗରିକଙ୍କୁ ଗିରଫ କଲେ କନ୍ସୁଲାର ଆକ୍ସେସ୍ ବା ଦୂତାବାସ ସହାୟତା ଯୋଗାଇଦିଆଯାଏ। ତେବେ ଏହାକୁ ମାନି ନଥିବାରୁ ଆଇସିଜେ ପାକିସ୍ତାନକୁ ନିନ୍ଦା କରିଥିଲା। ଏହାପରେ ପାକିସ୍ତାନ କୁଳଭୂଷଣଙ୍କୁ କନ୍ସୁଲାର ଆକ୍ସେସ୍ ଯୋଗାଇ ଦେବାକୁ ରାଜି ହୋଇଥିଲା।
କନ୍ସୁଲାର ଆକ୍ସେସ୍ ପାଇଁ ଇସ୍ଲାମାବାଦରେ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟି ପାରିବେ ବୋଲି ପାକିସ୍ତାନ ପ୍ରସ୍ତାବ ଦେଇଛି। ହେଲେ କୁଳଭୂଷଣଙ୍କୁ ଭେଟିବା ସମୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ପାକ୍ ଅଧିକାରୀ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିଛି। ଏମିତିକି ସାକ୍ଷାତ କରିବା ଗୃହରେ ସିସିଟିଭି କ୍ୟାମେରା ଲାଗିବ ବୋଲି ପାକିସ୍ତାନ ସର୍ତ୍ତ ରଖିଛି। ଏହି ସର୍ତ୍ତରେ ଭାରତ ରାଜି ହୋଇନଥିବାରୁ ଶେଷ ମୁହୂର୍ତ୍ତରେ ପାକିସ୍ତାନ କୁଳଭୂଷଣଙ୍କୁ ଦେଉଥିବା କନ୍ସୁଲାର ଆକ୍ସେସ୍କୁ ନେଇ ଚିତ୍ର ଏବେ ଯାଏ ସ୍ପଷ୍ଟ ହୋଇପାରିନାହିଁ।