ମଦ ପରେ ଏବେ ଗୁଟଖା ଓ ପାନ ମସଲା ବ୍ୟାନ୍। ବିହାରରେ ନିତିଶ କୁମାରଙ୍କ ସରକାର ଗୁଟଖା ଓ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗୁଜରାଟ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ବିହାରରେ ଏହି ପ୍ରତିବନ୍ଧକ ଲାଗିଛି। ଗୁଟଖା କିମ୍ବା ପାନ ମସଲା ଉତ୍ପାଦନ, ଗଚ୍ଛିତ ରଖିବା, ବିତରଣ, ପରିବହନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହି ପ୍ରତିବନ୍ଧକ ଗୋଟିଏ ବର୍ଷ ପାଇଁ ଲଗାଯାଇଛି। ଏନେଇ ବିହାର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିହାରରେ ପୂର୍ବରୁ ମଦ ପ୍ରସ୍ତୁତ କରିବା, ବିକ୍ରି ଓ ପିଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ଜୁନ୍ ଓ ଅଗଷ୍ଟରେ ଖାଦ୍ୟ ସୁରକ୍ଷା ବିଭାଗର ୨୦ଟି ଭିନ୍ନ ଭିନ୍ନ ବ୍ରାଣ୍ଡର୍ ପାନ ମସଲାର ନମୁନାର ଯାଞ୍ଚ ପରେ ପାନ ମସଲାରୁ ମ୍ୟାଗ୍ନେସିୟମ୍ କାର୍ବୋନେଟ୍ର ମାତ୍ରା ମିଳିଥିଲା। ଯାହା ହାର୍ଟ ତଥା ଅନ୍ୟାନ୍ୟ ଗମ୍ଭୀର ରୋଗ ହେବାର ମୁଖ୍ୟ କାରଣ ହୋଇପାରେ। ଫଳରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।