ଭାରତର ଶକ୍ତି ଆହୁରି ବୃଦ୍ଧି ହେବ। ଏକା ସଙ୍ଗରେ ପାକିସ୍ତାନ ଓ ଚୀନକୁ ମାତ୍ ଦେବାକୁ ଭାରତ ଯୋଜନା କରୁଛି। ଭାରତୀୟ ବାୟୁସେନା ୨୧ଟି ମିଗ-୨୯ ଓ ୧୨ଟି ସୁଖୋଇ-୩୦ କିଣିବାକୁ ଯାଉଛି। ଏ ନେଇ ବାୟୁସେନା ପକ୍ଷରୁ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟକୁ ଦିଆଯାଇଛି। ଏହି ୩୩ଟି ବିମାନ ଭାରତକୁ ଆସିଲା ପରେ ଭାରତୀୟ ବାୟୁସେନା ବେଶ ଶକ୍ତିଶାଳୀ ହୋଇଯିବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏ ସଂପର୍କରେ ବିଚାରବିମର୍ଷ ପରେ ଚୂଡାନ୍ତ ନିଷ୍ପତ୍ତି ନେବ। ବାୟୁସେନା ବ୍ୟବହାର କରୁଥିବା ଋଷ ନିର୍ମିତ ମିଗ-୨୧ ବିମାନଗୁଡିକ ପୁରୁଣା ହୋଇଯାଇଥିବାରୁ ସେଗୁଡିକୁ ପର୍ଯ୍ୟାୟକ୍ରମେ ବଦଳାଯାଉଛି। ବାୟୁସେନା ଜରୁରୀକାଳୀନ ଭିତ୍ତିରେ ଏହି ବିମାନଗୁଡ଼ିକୁ କିଣିବାକୁ ପ୍ରସ୍ତାବ ଦେଇଛି। ଭାରତୀୟ ବାତାବରଣକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ମିଗ-୨୯ ବିମାନଗୁଡ଼ିକୁ ଭାରତକୁ ପ୍ରଦାନ ପାଇଁ ଋଷିଆ ପ୍ରସ୍ତାବ ଦେଇଥିଲା। ତେବେ ଏସବୁ ବିମାନଗୁଡ଼ିକର ଦରକୁ ନେଇ ଏବେ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲୁ ରହିଛି। ଭାରତୀୟ ବାୟୁସେନା ପାଖରେ ଏବେସୁଦ୍ଧା ୧୭୦୦ ଯୁଦ୍ଧବିମାନ ଥିବା ବେଳେ ଏହି 33ଟି ଅତ୍ୟାଧୁନିକ ଫାଇଟର ପ୍ଲେନ୍ ଆସିଲେ ଭାରତକୁ ଆହୁରି ମଜଭୁତ କରିବ।