ଖୁବଶୀଘ୍ର ଭାରତକୁ ମିଳିବ ଅତ୍ୟାଧୁନିକ ଫାଇଟର୍ ପ୍ଲେନ୍ ରାଫେଲ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ପ୍ରଥମ ରାଫେଲ ବିମାନ ସେପ୍ଟେମ୍ବର 20ରେ ଭାରତରେ ପହଞ୍ଚିବ। ଯାହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ବି.ଏସ୍ ଧନୱା ଫ୍ରାନ୍ସର ଡାସଲ୍ଟ ଆଭିଏସନ୍ କର୍ତ୍ତୃପକ୍ଷଙ୍କଠାରୁ ଗ୍ରହଣ କରିବେ। ବିମାନ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଫ୍ରାନ୍ସର ବୋରଡେକ୍ସ ଯିବେ। ଏପର୍ଯ୍ୟନ୍ତ ସୁଦ୍ଧା ଭାରତର 24ଜଣ ପାଇଲଟ ଫ୍ରାନ୍ସ ଯାଇ ସେଠାରେ ରାଫେଲ ଚଳାଇବା ପାଇଁ ତାଲିମ ଗ୍ରହଣ କରିସାରିଛନ୍ତି। ଫ୍ରାନ୍ସଠାରୁ 2020 ସୁଦ୍ଧା ଭାରତ 36ଟି ରାଫେଲ ବିମାନ ପାଇବାକୁ ରାଜିନାମା ହୋଇଛି ଏବଂ ଏଗୁଡ଼ିକ 2020 ମଇଠାରୁ ଭାରତରେ ପହଞ୍ଚିବା ଆରମ୍ଭ କରିବ । ରାଫେଲ ବିମାନ ବିଶ୍ୱର ଶ୍ରେଷ୍ଠ 5ଟି ଯୁଦ୍ଧ ବିମାନ ମଧ୍ୟରେ ଅନ୍ୟତମ, ଏବଂ ଏହାର ସ୍ପିଡ୍ ଘଣ୍ଟାପ୍ରତି 2,223 କିମି ରହିଛି। ରାଫେଲ ବିମାନର ରେଞ୍ଜ ପାଖାପାଖି 4ହଜାର କିଲୋ ମିଟର୍, ଯାହା ସମ୍ପୂର୍ଣ୍ଣ ପାକିସ୍ତାନକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି । ଭାରତ ଆସିବା ପରେ ରାଫେଲ ଯୁଦ୍ଧବିମାନକୁ ହରିୟାଣାର ଆମ୍ବାଲା ଓ ପଶ୍ଚିମବଙ୍ଗର ହାସାମାରା ବିମାନଘାଟିରେ ମୁତୟନ କରାଯିବ।