ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚୀନର ଶରଣ ପଶିଥିଲା। ଫଳରେ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲା ଉଠାଇଥିଲା। ତେବେ ସୁରକ୍ଷା ପରିଷଦରେ ପାକିସ୍ତାନ ଓ ଚୀନର ଷଡ଼ଯନ୍ତ୍ର ଫସର ଫାଟିଛି। ଭାରତ ବିରୋଧରେ ଯାଇ ପାକିସ୍ତାନକୁ ସମର୍ଥନ ଜଣାଇବା ଏବେ ଚୀନ ପାଇଁ ମହଙ୍ଗା ହେବାକୁ ଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପରେ ଚାଇନା ଏବେ ଦେଶର ବଡ଼ ଶତ୍ରୁ । ଏହା ବର୍ତ୍ତମାନ ଦେଶର ସମସ୍ତ ନାଗରିକ ଜାଣିଛନ୍ତି। ତେଣୁ ଚୀନର ସାମଗ୍ରୀ ବର୍ଜନ ପାଇଁ ବ୍ୟବସାୟୀମାନେ ଏକାଠି ହୋଇଛନ୍ତି। କନ୍ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଦେଶର ସମସ୍ତ ଛୋଟବଡ଼ ବ୍ୟବସାୟୀଙ୍କୁ ପୁନର୍ବାର ସାରା ଦେଶରେ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆୱାନ ଦେଇଛି। ଏହି ପ୍ରସଙ୍ଗରେ ଆସନ୍ତା ୨୯ରେ ସିଏଆଇଟି ଆହ୍ୱାନକ୍ରମେ ସାରା ଦେଶର ବ୍ୟବସାୟୀ ସଂଘ ପ୍ରତିନିଧିଙ୍କୁ ନେଇ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ସେପ୍ଟେମ୍ବର ପହିଲାରୁ ଦେଶରେ ଏଥିଲାଗି ଏକ ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ କରାଯିବ।