ଯାହା ଆଶା କରାଯାଉଥିଲା ତାହା ହେଲା। ପୂର୍ବରୁ ନିଷ୍ପତ୍ତି ସରିଥିଲା ଆଜି ସନ୍ଧ୍ୟାରେ କେବଳ ଔପଚାରିକ ଭାବେ ଘେଷଣା ହେଲା। ଶେଷରେ ବିରାଟଙ୍କ ପସନ୍ଦ ରବୀ ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ। ଆଗମୀ ଦୁଇ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ ଭାବେ ରବି ଶାସ୍ତ୍ରୀଙ୍କୁ ନିଯୁକ୍ତି ଦେଇଛି କ୍ରିକେଟ୍ ଆଡଭାଇଜରୀ କମିଟି। ଭାରତୀୟ କୋଚ ପାଇଁ 6 ଜଣ ଆବେଦନ କରିଥିଲେ ମଧ୍ୟ କପିଲ ଦେବଙ୍କ ନେତୃତ୍ୱରେ କ୍ରିକେଟ୍ ଆଡଭାଇଜରୀ କମିଟି ରବିଶାସ୍ତ୍ରୀଙ୍କୁ ଚୟନ କରିଛି। CAC’ରେ କପିଲ ଦେବଙ୍କ ବ୍ୟତୀତ ଅଂଶୁମାନ ଗାଇକୱାଡ୍ ଏବଂ ସାନ୍ଥା ରଙ୍ଗାସ୍ୱାମୀ ମଧ୍ୟ ସଦସ୍ୟ ରହିଛନ୍ତି।
ଭାରତୀୟ ଦଳର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା। ଏଥିରେ ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ ସାମିଲ ଥିଲେ। ଶାସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ଲାଲଚନ୍ଦ ରାଜପୁତ ଓ ରବିନ ସିଂହ ମଧ୍ୟ ସାମିଲ ଥିଲେ। ଏହାସହ ଅଷ୍ଟ୍ରେଲିଆର ଟମ୍ ମୁଡି, ନ୍ୟୁଜିଲାଣ୍ଡର ମାଇକ ହେସନ, ୱେଷ୍ଟଇଣ୍ଡିଜର ଫିଲ୍ ସିମେନ୍ସ ମଧ୍ୟ କୋଚ ପାଇଁ ଆବେଦନ କରିଥିଲେ। ଶେଷ ମୁହୂର୍ତ୍ତରେ କିନ୍ତୁ ଫିଲ୍ ସିମେନ୍ସ କୋଚ୍ ପଦରୁ ଓହରି ଯାଇଥିଲେ। ସେ ଶ୍ରୁକ୍ରବାର CAC ସାମ୍ନାରେ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ମନା କରିଥିଲେ। ଫଳରେ 5ଜଣଙ୍କୁ ନେଇ ଇଣ୍ଟରଭ୍ୟୁ କରିବା ପରେ ଶେଷରେ କପିଲ ଦେବଙ୍କ ନେତୃତ୍ଵାଧୀନ କ୍ରିକେଟ୍ ଆଡଭାଇଜରୀ କମିଟିର ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ ହୋଇଥିଲେ।। ଶାସ୍ତ୍ରୀଙ୍କ ବ୍ୟତୀତ CAC’ର ଦ୍ୱିତୀୟ ପସନ୍ଦ ନ୍ୟୁଜିଲାଣ୍ଡର ମାଇକ ହେସନ ଥିବା ବଳେ ଅଷ୍ଟ୍ରେଲିଆର ଟମ୍ ମୁଡି ତୃତୀୟ ବିକଳ୍ପ ଥିଲା ବୋଲି କୁହାଯାଇଛି।