ନିର୍ବାଚନ ପୂର୍ବରୁ ଆଖିବୁଜି କାଳିଆ ଟଙ୍କା ବାଣ୍ଟିଲେ: ଏବେ କହୁଛନ୍ତି ତମେ ଅଯୋଗ୍ୟ, ଟଙ୍କା ଫେରାଅ

କାଳିଆ ଯୋଜନାକୁ ନେଇ ସରକାର ଏବେ ଅଡ଼ୁଆରେ ପଡିଛନ୍ତି। ଅନେକ ଅଯୋଗ୍ୟ ଚାଷୀ କାଳିଆ ଟଙ୍କା ନେଇଯାଇଥିବା କହି ସେମାନଙ୍କୁ ଟଙ୍କା ଫେରାଇ ଆଣିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର କନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟରେ କେହି ବି ଜଣେ ଚାଷୀ କାଳିଆ ଟଙ୍କାରୁ ବଞ୍ଚିତ ହେବେନି। ସରକାର ଆସିବାମାତ୍ରେ ପ୍ରଥମ ଦିନରେ କାଳିଆ ଟଙ୍କା ପ୍ରଦାନ କରାଯିବ। ତାହା ହିଁ ହେଲା। ପୁଣି ଏବେ କହୁଛନ୍ତି ଅଯୋଗ୍ୟ ଚାଷୀ ଟଙ୍କା ନେଇଯାଇଛନ୍ତି, ଟଙ୍କା ଫେରାଓ। ନିର୍ବାଚନ ଥିବାରୁ ଅଖିବୁଜି ସରକାର କାଳିଆ ଯୋଜନାରେ ଟଙ୍କା ବାଣ୍ଟିଥିଲେ। ସେତେବେଳେ କିଏ ଯୋଗ୍ୟ କି ଅଯୋଗ୍ୟ, ସେକଥା ଦେଖିଲେନି। ଆଉ ଏବେ ନିର୍ବାଚନ ସରିବା ପରେ ସରକାର ଟଙ୍କା ଫେରାଇବା ପାଇଁ କହୁଛନ୍ତି। ଯାହାକୁ ନେଇ ଅନେକ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।  ଅନ୍ୟପକ୍ଷେ, କାଳିଆ ଯୋଜନାରେ ଅସଲି-ନକଲି ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ଅଗଷ୍ଟ ୨୭ ଯାଏ ସଂପ୍ରସାରଣ କରାଯାଇଛି। କାରଣ ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୩ ଲକ୍ଷ ଚାଷୀଙ୍କ ଯାଞ୍ଚ ହିଁ ସରିପାରିଛି। ଆଉ ସେ ଭିତରୁ ପ୍ରାୟ ୭୦ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ତେବେ ପ୍ରଶ୍ନ ଉଠୁଛି ଯେଉଁମାନଙ୍କୁ ଅଯୋଗ୍ୟ ଚିହ୍ନଟ କରୁଛନ୍ତି ସେମାନଙ୍କ ଠାରୁ ଟଙ୍କା କିପରି ଫେରାଇ ଆଣିବେ ସରକାର। ବାସ୍ତବରେ ସେମାନେ ଟଙ୍କା ଫେରାଇବେ ତ , ଯାହା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।  

Leave a Reply

Your email address will not be published. Required fields are marked *