ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ସ୍ଥିତି ଖରାପ ହୋଇଛି। ଅନେକ ଲୋକେ ଏବେ ବନ୍ୟାଜଳ ଘେରରେ ରହିଛନ୍ତି। ଗାଡି ମଟର ଚଳାଚଳ ଠପ ହେବା ସହ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେଣୁ ରାଜ୍ୟସରକାର ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି। ରାଜ୍ୟ ସରକାର ବୟସ୍କ ବ୍ୟକ୍ତିଙ୍କ ପାଇଁ ଦିନକୁ ୬୦ ଟଙ୍କା ଓ ପିଲାମାନଙ୍କ ପାଇଁ ଦିନକୁ ୪୫ ଟଙ୍କାର ରିଲିଫ ଘୋଷଣା କରିଛନ୍ତି। ରିଲିଫ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ନବୀନ ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।