ବର୍ଷାରେ ବେହାଲ ସାରା ଓଡ଼ିଶା: ରେଳ ଧାରଣାରେ ପାଣି, ଟ୍ରେନ ଚଳାଚଳ ଠପ୍

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାରା ରାଜ୍ୟ ଏବେ ବେହାଲ। ଅନେକ ଜିଲ୍ଲାରେ ବନ୍ୟାସ୍ଥିତି ଦେଖାଦେଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାଗୁଡିକର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇ ପଡିଛି । ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏଥିପାଇଁ ବନ୍ୟା ପ୍ରଭାବିତ ଅଂଚଳ ଗୁଡିକରେ ଶିକ୍ଷା ଅନୁଷ୍ଠାନ ଗୁଡିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ସେପଟେ ଲଗାଣ ବର୍ଷା ଯୋଗୁଁ ସମ୍ବଲପୁରରେ ଟ୍ରାକରେ ପାଣି ଜମି ରହିଛି। ଏହା ଦ୍ୱାରା ଟ୍ରେନ ଚଳାଚଳ ସାମୟିକ ଭାବରେ ବନ୍ଦ ରହିଛି। ସମ୍ବଲପୁର ଦେଓଗାଁ ରୋଡ- ବରଗଡ- ଟିଟଲାଗଡ ସେକ୍ସନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ସେପଟେ ବରପାଲିରେ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍, ଡୁଙ୍ଗୁରିପାଲିରେ ଇସ୍ପାତ ଏକ୍ସପ୍ରେସ୍ ଓ ଲୋଇସିଂହାରେ ଆଜମେର-ପୁରୀ ଏକ୍ସପ୍ରେସ୍ ଅଟକିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ତେବେ ଟ୍ରାକରୁ ପାଣି ନିଷ୍କାସିତ ହେବା ପରେ ପୁଣି ଥରେ ଟ୍ରେନ ଚଳାଚଳ ହେବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *