ଜମ୍ମୁ-କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଯାଇଛି। ଭାରତର ଏଭଳି ପଦକ୍ଷେପ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନ୍ୟାସନାଲ ସିକ୍ୟୁରିଟି କମିଟି ବୈଠକ ଡାକିଥିଲେ। ଯେଉଁଥିରେ ଭାରତ ପାକ ସମ୍ପର୍କକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ସରକାର ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ଭାରତ ଫେରିଯିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ, ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ଇସ୍ଲାମାବାଦ ପକ୍ଷରୁ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି। ଏହାସହ ଭାରତ ସହିତ ନିଜର କୂଟନୈତିକ, ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି।