ପଞ୍ଚଭୂତରେ ଲୀନ ହୋଇଗଲେ ସୁଷମା ସ୍ୱରାଜ। ହିନ୍ଦୁ ପରମ୍ପରା ସହ ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ ବାଂଶୁରୀ ମା’ଙ୍କୁ ମୁଖାଗ୍ନି ଦେଇଛନ୍ତି। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ସଜେଇ ହୋଇ ଇହଜଗତରୁ ବିଦାୟ ନେଇଛନ୍ତି ସୁଷମା। ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଗୃହମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ। ଶେଷ ଦର୍ଶନ ବେଳେ କନ୍ତୁ ପ୍ରଧାନମନ୍ତ୍ରୀ ବେଶ୍ ଭାବୁକ ହୋଇଯାଇଥିଲେ। ସୁଷମାଙ୍କ ମୃତ୍ୟୁ ଖବର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କିନ୍ତୁ ସବୁଠୁ ଅଧିକ ମର୍ମାହତ କରିଛି। ସୁଷମା ସ୍ୱରାଜଙ୍କୁ ଶେଷ ବିଦାୟ ଦେବା ପାଇଁ ଯେତେବଳେ ଉପରାଷ୍ଟ୍ରପତି ତାଙ୍କ ପାର୍ଥୀବ ଶରୀର ନିକଟରେ ପହଞ୍ଚିଥିଲେ ସେତେବେଳେ ନିଜ କୋହକୁ ରୋକିପାରିନଥିଲେ। ସମସ୍ତଙ୍କ ସାମ୍ନାରେ ଉପରାଷ୍ଟ୍ରପତି ବାହୁନି ବାହୁନି କାନ୍ଧି ପକାଇଥିଲେ। ଉପରାଷ୍ଟ୍ରପତି ନାଇଡୁ ଓ ସୁଷମା ସ୍ୱରାଜଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଥିଲା। ପ୍ରତ୍ୟେକ ବର୍ଷ ରକ୍ଷୀ ପୂର୍ଣ୍ଣିମାରେ ଭେଙ୍କୟା ନାଇଡୁଙ୍କୁ ରାକ୍ଷୀ ବାନ୍ଦୁଥିଲେ ସୁଷମା। ଏହା ବଦଳରେ କିନ୍ତୁ ଭେଙ୍କୟା ରାକ୍ଷୀର ପାଉଣା ଭଉଣୀ ସୁଷମାଙ୍କୁ ଦେଉଥିଲେ। ଏହାକୁ ମନେ ପକାଇ ଆଜି ଉପରାଷ୍ଟ୍ରପତିଙ୍କ ଆଖି ଭିଜିଯାଇଥିଲା। ସଂସଦରେ ମଧ୍ୟ ସେ ଭାବୁକ ହୋଇଯାଥିଲେ। ସଂସଦରେ ସେ କହିଥିଲେ,ଏଥର ରକ୍ଷୀରେ ମୋ ହାତ ଖାଲି ରହିବ।