ଇଣ୍ଡୋନେସିଆର ଜାକର୍ତ୍ତାରେ ହେବାକୁ ଥିବା ଏସିଆ ରଗବୀ ସେଭେନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ଓ ପୁରୁଷ ଟିମ୍ ଘୋଷଣା ହୋଇଛି। ସୋମବାର ଅପରାହ୍ନରେ ଭୁବନେଶ୍ୱର ଠାରେ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା ହୋଇଛି। 12 ଜଣିଆ ଭାରତୀୟ ମହିଳା ଦଳରେ 4ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଚାରିଜଣ ହେଲେ ସୁମିତ୍ରା ନାୟକ, ହୁପି ମାଝୀ, ମୀରାରାଣୀ ହେମ୍ବ୍ରମ ଓ ଶୁଭଲକ୍ଷ୍ମୀ ବାରିକ୍ । ପୁରୁଷ ଦଳରେ କିନ୍ତୁ 12 ଜଣଙ୍କ ମଧ୍ୟରେ କୌଣସି ଓଡ଼ିଆ ସାମିଲ ନାହିଁନ୍ତି। ଘୋଷଣା ହୋଇଥିବା ପୁରୁଷ ଓ ମହିଳା ଟିମ୍ ଦୁନ ଦିନ ଭୁବନେଶ୍ୱରରେ ରହି ଟ୍ରେନିଂ କରିବେ। ଏହି ସମୟରେ ଭାରତୀୟ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିବା ଅତ୍ୟାଧୁନିକ ଅଭିନବ ବିନ୍ଦ୍ରା ହାଇପରଫରମାନ୍ସ ସେଣ୍ଟରର ଉପଯୋଗ ମଧ୍ୟ କରିପାରିବେ ବୋଲି କୁହାଯାଇଛି। ଆସନ୍ତା ଅଗଷ୍ଟ 10 ଓ 11 ତାରିଖରେ ଜାକର୍ତ୍ତାରେ ଏସିଆ ରଗବୀ ସେଭେନ୍ସ ଟ୍ରଫି ଖେଳାଯିବାକୁ ଥିବା ବେଳେ ଭାରତୀୟ ଟିମ୍ ଅଗଷ୍ଟ 7 ତାରିଖରେ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିବ। କଳିଙ୍ଗ ଷ୍ଟାଡ଼ିୟମରେ ରଗବୀ ଇଣ୍ଡିଆ ଓ ଓଡ଼ିଶା ସରକରାଙ୍କ କ୍ରୀଡ଼ା ବିଭାଗର ମିଳିତ ପ୍ରେସ କନଫରେନ୍ସ ଜରିଆରେ ଭାରତୀୟ ଚୂଡାନ୍ତ ଦଳ ଘୋଷଣା ହୋଇଛି। ଭାର଼ତୀୟ ଦଳ ଘୋଷଣା ସମୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ସହ ପୂର୍ବତନ ରଗବୀ ଖେଳାଳି, ଦଳର ମେଣ୍ଟର ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ ମଧ୍ୟ ଉପସ୍ଥିତ ରହିଥିଲେ।
ସୋମବାର ଟିମ୍ ଘୋଷଣ ସମୟରେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟସରକାରଙ୍କ ଅବଦାନକୁ ରଗବୀ ଇଣ୍ଡିଆ ପକ୍ଷରୁ ବେଶ ପ୍ରଶଂସା କରାଯାଇଥିଲା। ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ବଡ଼ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ସହ କ୍ରୀଡ଼ାର ବିକାଶ ପାଇ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ନେଇଛନ୍ତି। ତେଣୁ ରଗୀବକୁ ମଧ୍ୟ ପ୍ରଚାର ପ୍ରସାର ପାଇଁ ରାଜ୍ୟସରକାର ଆଗେଇ ଆସିଥିବାରୁ ଓଡ଼ିଶା ସରକାର ତଥା କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଦେଇଛି ରଗବୀ ଇଣ୍ଡିଆ। ଅନ୍ୟପଟେ ରଗୀବ ଖେଳର ବିକାଶ ପାଇଁ ଆଗାମୀ ଦିନରେ ରାଜ୍ୟସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ହାଇପରଫରମାନ୍ସ ସେଣ୍ଟର ନିର୍ମାଣ ଯୋଜନା କରାଯାଇଛି। ଯାହାର ପ୍ରସ୍ତୁତି ଆରମ୍ଭ ହୋଇଥିବା କ୍ରୀଡ଼ା ବିଭିଗ ପକ୍ଷରୁ କୁହାଯାଇଛି।