ବିଶ୍ୱର ଶ୍ରେଷ୍ଠ ୧୦ଟି ବିମାନବନ୍ଦର ମଧ୍ୟରୁ ଭାରତରେ ଅଛି ଗୋଟିଏ ବିମାନବନ୍ଦର। ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ବିଶ୍ୱର ଶ୍ରେଷ୍ଠ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗକୁ ନେଇ ‘ଏୟାର ହେଲପ୍’ ନାମକ ଏକ ସଂସ୍ଥା ସର୍ଭେ କରି ଏଭଳି ରିପୋର୍ଟ ପ୍ରକାଶ କରିଛି। ସର୍ଭେ ରିପୋର୍ଟ ଅନୁଯାଇ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ ଅନ୍ତର୍ଜାତୀୟ ବିମାନବନ୍ଦର ରହିଥିବା ବେଳେ ତୃତୀୟ ସ୍ଥାନରେ ଗ୍ରୀସ୍ର ଏଥେନ୍ସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି। ୪ର୍ଥ ସ୍ଥାନରେ ବ୍ରାଜିଲର ଅଫୋନୋସ ପେନା ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଥିବା ବେଳେ ୫ମରେ ପୋଲାଣ୍ଡର ଜିଡାନସ୍କା ଲେଚ ୱାଲେସା ଏୟାରପୋର୍ଟ, ୬ଷ୍ଠରେ ଋଷିଆର ଶେରେମେଟୟେଭୋ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି। ସେହିପରି ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ୭ମ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ୍ ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ୮.୨୭ ମାର୍କ ସହ ତାଲିକାର ୮ମ ସ୍ଥାନରେ ରହିଛି। ସ୍ପେନ୍ର ଟେନେରାଇଫେ ନର୍ଥ ଏୟାର ପୋର୍ଟ ୯ମ ସ୍ଥାନ ଓ ୧୦ମ ସ୍ଥାନରେ ବ୍ରାଜିଲର ଭିରାକୋପୋସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି।