ବିଜେପିରେ ମିଶି ପାରନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ । ଏଭଳି ଆଭାସ ଏବେ ମିଳୁଛି। ଖୁବଶୀଘ୍ର କଂଗ୍ରେସ ହାତ ଛାଡି ରଞ୍ଜୀବ ବିଶ୍ୱାଳ ବିଜେପିରେ ସାମିଲ ହୋଇପାରନ୍ତି। ଏଭଳି ଚର୍ଚ୍ଚା ଏବେ ରାଜନୀତି ପାଣିପାଗକୁ ସରଗରମ କରିଛି। ମଙ୍ଗଳବାର ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ଗୃହୀତ ହୋଇଛି। ଏହି ବିଲକୁ ବିରୋଧ କରିବାକୁ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା। ରଞ୍ଜୀବ ବିଶ୍ୱାଳଙ୍କ ସମେତ କଂଗ୍ରେସର ୫ ଜଣ ସାଂସଦ ହ୍ୱିପ ସତ୍ୱେ ଗୃହରେ ଅନୁପସ୍ଥିତ ଥିଲେ। ଏହି ସାଂସଦମନେ ହେଉଛନ୍ତି ବିବେକ ତନାଖା, ପ୍ରତାପ ସିଂହ ବାଜବା, ମୁକୁଟ ମିଥି, ରଞ୍ଜୀବ ବିଶ୍ୱାଳ ଓ ସଞ୍ଜୟ ସିଂ। ଯଦିଓ ସଞ୍ଜୟ ସିଂ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ହ୍ୱିପ୍ ଅମାନ୍ୟ କରି ରାଜ୍ୟସଭାରେ ଅନୁପସ୍ଥିତି ରହିଥିବା ରଞ୍ଜୀବଙ୍କୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଦେଶରେ କଂଗ୍ରେସର ଖରାପ ସ୍ଥିତି ଦେଖି ରଞ୍ଜୀବ ଏବେ ବିଜେପି ଆଡକୁ ଢଳୁଥିବା କୁହାଯାଉଛି। ରଞ୍ଜୀବଙ୍କ କାର୍ଯ୍ୟକାଳ ରାଜ୍ୟସଭାରେ ଆସନ୍ତାବର୍ଷ ଏପ୍ରିଲ ମାସରେ ଶେଷ ହେଉଥିବାରୁ ସେ ତା’ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ବିଜେପି ନେତାଙ୍କ ସହ ଆଲୋଚନା ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି।