ଆଜିଠୁ ଇତିହାସ ହୋଇଗଲା ଟ୍ରିପଲ୍‌ ତଲାକ୍‌ ପ୍ରଥା

ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ଟ୍ରିପଲ୍‌ ତଲାକ୍‌ ବିଲ୍ ମଙ୍ଗଳବାର ପାସ୍‌ ହୋଇଛି। ବିଲ୍‌ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ କରିଥିବା ବେଳେ ବିପକ୍ଷରେ ୮୪ଜଣ ମତଦାନ କରିଥିଲେ। ତେବେ ବିଲ୍‌ ପାରିତ ହେବା ଫଳରେ ମୁସଲିମ୍‌ ମହିଳାମାନଙ୍କୁ ତିନି ତଲାକ କହିବା ଅଥବା ଫୋନ୍‌ କଲ୍‌, ଚିଠି ମାଧ୍ୟମରେ ତଲାକ ଦେବା ବେଆଇନ ହେବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଏହି ବିଲ୍‌ ଅନୁମୋଦନ ନିମନ୍ତେ ଯିବ। ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଯିବ। ୨୦୧୭ ମସିହା ଅଗଷ୍ଟରେ ସୁପ୍ରିମ୍‌କୋର୍ଟ ଟ୍ରିପଲ ତଲାକ୍‌ ବେଆଇନ ବୋଲି ରାୟ ଦେବା ପରେ ଏହି ବିଲ୍‌ ଅଣାଯାଇଥିଲା। ୨୦୧୭ ମସିହା ଡିସେମ୍ବର ମାସଠାରୁ ଏହି ବିଲ୍‌କୁ ନେଇ ବିରୋଧୀ ଏବଂ ସରକାର ମୁହାଁମୁହିଁ ହୋଇଆସୁଥିଲେ।

ଆଜିର ଏହି ଭୋଟିଂରେ ଟିଆରଏସ୍‌ ଏବଂ ଟିଡିପିର ସଦସ୍ୟମାନେ ଅନୁପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଭୋଟିଂ ଆରମ୍ଭ ହେବାପରେ ବିଏସ୍‌ପି ସାଂସଦମାନେ ଗୃହ ବାହାରକୁ ପଳାଇଥିଲେ। ଓଡ଼ିଶାରେ କ୍ଷମତାସୀନ ବିଜେଡି ଏହି ବିଲ୍‌କୁ ସମର୍ଥନ ଜଣାଇଥିଲା। ଅନ୍ୟପକ୍ଷରେ ଏନ୍‌ଡିଏରେ ଥାଇ ମଧ୍ୟ ଜେଡିୟୁ ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *